ମାଲକାନଗିରି: ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ପୋଲିସକୁ ମିଳିଛି ବଡ଼ ସଫଳତା । ଦୁଇ ଜଣ ଟପ୍ କ୍ୟାଡର ମାଓବାଦୀଙ୍କୁ ଗିରଫ କରିଛି ଦାନ୍ତେୱାଡା ପୋଲିସ । ଗିରଫ 2 ମାଓବାଦୀଙ୍କୁ ଧରିବା ପାଇଁ 13 ଲକ୍ଷ ଟଙ୍କା ପୁରସ୍କାର ରଖିଥିଲା ଛତିଶଗଡ଼ ସରକାର ।
ତେବେ ଗିରଫ ହୋଇଥିବା ମାଓବାଦୀ କଟେକଲ୍ୟାଣ ଏରିଆ କମିଟି ଡେପୁଟି କମାଣ୍ଡର ଗୁଡି ମାଣ୍ଡୱବୀକୁ ଧରିବା ପାଇଁ ଛତିଶଗଡ଼ ସରକାର 8 ଲକ୍ଷ ଟଙ୍କା ପୁରସ୍କାର ରଖି ଥିବାବେଳେ ଭୀମା ମାଣ୍ଡୱବୀକୁ ଧରିବା ପାଇଁ 5 ଲକ୍ଷ ପୁରସ୍କାର ରଖିଥିଲା । ଭୀମା ମାଣ୍ଡଓ୍ବବୀ ମଧ୍ୟ କଟେକଲ୍ୟାଣ ଏରିଆ କମିଟି ମାଓ ସଙ୍ଗଠନର କମାଣ୍ଡର ଭାବେ କାମ କରୁଥିଲା । ଏମାନେ ଦୀର୍ଘ ବର୍ଷ ହେବ ମାଓ ସଙ୍ଗଠନରେ ରହି ଅନେକ ହିଂସାକାଣ୍ଡ କରିବା ସହ ବିଭିନ୍ନ ଆତଙ୍କୀ ହମଲାରେ ସାମିଲ ଥିଲେ । ଗୁଇନ୍ଦା ସୂଚନା ଅନୁସାରେ ଏକ ସ୍ୱତନ୍ତ୍ର ଟିମ ଦୁର୍ଗମ ଗାଁରେ ପହଁଞ୍ଚି ଦୁଇ ହାର୍ଡକୋର ମାଓବାଦୀଙ୍କୁ ଠାବ କରି ଗିରଫ କରିଛି ପୋଲିସ । ତେବେ ଏହି ଦୁଇ ମାଓ ନେତାଙ୍କୁ ପୋଲିସ ଗିରଫ କରିବା ପରେ ନିଶ୍ଚିତ ଭାବେ ମାଓ ସଙ୍ଗଠନକୁ ଏକ ବଡ଼ ଝଟକା ଲାଗିଥିବ ବୋଲି ଚର୍ଚ୍ଚା ହେଉଛି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ