କୋରାପୁଟ: ସ୍ଥାନୀୟ ଆଦିବାସୀ ସଂଗ୍ରାହାଳୟ ଠାରେ କୋରାପୁଟର ଅଗ୍ରଣୀ ନାଟ୍ୟ ସଂସ୍ଥା ନନ୍ଦନିକ ଦ୍ବାରା ବିଶ୍ବ ନାଟ୍ୟ ଦିବସ ପାଳିତ ହୋଇଯାଇଛି । ନାଟକର ଯର୍ଥାଥରେ ଜୀବନ ପ୍ରତିଫଳନ ହୁଏ । ମନୋରଞ୍ଜନର ମାଧ୍ୟମ ନାଟକ । ଓଡିଶାରେ ନାଟକର ପରମ୍ପରା ବହୁ ପୁରୁଣା ବୋଲି କହିଛନ୍ତି ବରିଷ୍ଠ ନାଟ୍ୟକାର ଉମାକାନ୍ତ ଦାସ । ବିଶ୍ବ ନାଟକ ଦିବସ ଅବସରରେ ନାଟକ ଜରିଆରେ ନନ୍ଦନିକ ତରଫରୁ କୋରାପୁଟରେ ଗତ ଅନେକ ବର୍ଷ ହେଲା ଏହି ଦିବସ ପାଳନ ହୋଇଆସୁଛି । ଆଜି ଏହି ଅବସରରେ ନନ୍ଦନିକର ଜଣେ ଯୁବ କଳାକାର ଅଭୟ କୁମାର ଦାସଙ୍କୁ ସମ୍ମାନିତ କରାଯାଇଛି। ସାମ୍ବାଦିକତା ଓ ସତ୍ୟର ବିଜୟ ଉପରେ ଆଧାରିତ ନାଟକ 'ଗଣ ଶତ୍ରୁ ' ମଞ୍ଚସ୍ଥ ହୋଇଥିଲା । ଯାହା ଦର୍ଶକଙ୍କୁ ବାନ୍ଧି ରଖିଥିଲା ।
ଅଭୟ କୁମାର ଲୋକ ନାଟକରେ ପଶୁ ଚରିତ୍ର ଉପରେ ଗବେଷଣା କରିବା ପାଇଁ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ବାରା ଛାତ୍ରବୃତ୍ତି ପାଇଁ ମନୋନୀତ ହୋଇଛନ୍ତି । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପାଇଥିବା ଅବସରପ୍ରାପ୍ତ ଶିକ୍ଷକ ତଥା ବିଶିଷ୍ଟ ନାଟ୍ୟକାର ଉମାକାନ୍ତ ଦାଶ ଏବଂ ରାଜ୍ୟ ର ଜଣେ ଖ୍ୟାତି ସମ୍ପନ୍ନ ଗାଳ୍ପିକ ନାରାୟଣ ପଣ୍ଡା ପ୍ରମୁଖ ଯୋଗଦେଇ କଳାକାରଙ୍କୁ ଉତ୍ସାହିତ କରିଥିଲେ । ନାଟକର ଗୌରବମୟ ଇତିହାସରେ ଓଡ଼ିଶା ଓ ବିଶେଷ କରି କୋରାପୁଟର ନାଟକ ଓ ନାଟ୍ୟକାରଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି ଅଭୟ ଦାସ ।
କୋରାପୁଟ ଅଞ୍ଚଳରେ ଯୁବ ଗୋଷ୍ଠୀଙ୍କୁ ନେଇ ନାଟକର ପରମ୍ପରାକୁ ଆଗକୁ ନେବା ପାଇଁ ପ୍ରଚେଷ୍ଟା କରୁଥିବା ନନ୍ଦନିକର ନିର୍ଦେଶକ ସୌରଭ ଗୁପ୍ତା ସୂଚନା ପ୍ରଦାନ କରିଛନ୍ତି । ଏହି ଅବସରରେ ନନ୍ଦନିକର କଳାକାରମାନଙ୍କ ଦ୍ବାରା ସ୍ବାସ୍ଥ୍ୟ ସେବା , ସାମ୍ବାଦିକତା ଓ ସତ୍ୟର ବିଜୟ ଉପରେ ଆଧାରିତ ନାଟକ 'ଗଣ ଶତ୍ରୁ ' ମଞ୍ଚସ୍ଥ ହୋଇଥିଲା । ସେହିପରି କୋରାପୁଟ ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ମଧ୍ୟ ବିଶ୍ବ ନାଟକ ଦିବସ ପାଳିତ ହୋଇଯାଇଛି ।
କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ