କୋରାପୁଟ: ବିଗତ ଆଠ ମାସ ମଧ୍ୟରେ ଜିଲ୍ଲାରେ ବିଭିନ୍ନ କାରଣରୁ ଆତ୍ମହତ୍ୟା କରିଛନ୍ତି ୫ ଜଣ ବ୍ୟକ୍ତି । ଏହି ତଥ୍ୟ କୋରାପୁଟ ନଗର ଥାନା ଅଧିକାରୀଙ୍କ କାର୍ଯ୍ୟାଳୟରେ ପଞ୍ଜିକୃତ ହୋଇଥିବା ତଥ୍ୟରୁ ଜଣାପଡିଛି । ଘରୋଇ ଗଣ୍ଡଗୋଳ, ଆର୍ଥିକ ସମସ୍ୟା, ମନୋମାଳିନ୍ୟ ଓ ଠିକ ସମୟରେ ପରାମର୍ଶ ଅଭାବରୁ ଏଭଳି ଘଟଣା ଘଟୁଥିବା ଜଣାପଡିଛି ।
ତେବେ ପ୍ରତ୍ୟେକ ବ୍ୟକ୍ତି ନିଜର ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ ହେବା ଆବଶ୍ୟକ । ଉଚିତ ପରାମର୍ଶ ଆଧାରରେ ଯତ୍ନ ନେଇପାରିଲେ ବଢିଚାଲିଥିବା ଆତ୍ମହତ୍ୟାର ହାର କମିଯାଇ ପାରନ୍ତ ବୋଲି ମାନସିକ ବିଭାଗର କାର୍ଯ୍ୟରତ ପ୍ରଫେସର ଅନନ୍ତ ଚରଣ ମେହେର । କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର ମାନସିକ ବିଭାଗରେ ପ୍ରଫେସର ଅଛନ୍ତି ଅନନ୍ତ ଚରଣ ମେହେର।
ଆଜି ବିଶ୍ବ ଆତ୍ମହତ୍ୟା ନିରୋଧ ଦିବସ ଅବସରରେ ଈଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ମତ ରଖିଛନ୍ତି ଡକ୍ଟର ମେହେର । କୋରାପୁଟରେ ୧୮ ରୁ ୨୫ ବର୍ଷ ବୟସର ଯୁବପୀଢ଼ିଙ୍କ ମଧ୍ୟରେ ନୈରାଶ୍ୟ ଵୃଦ୍ଧି ପାଉଥିବା ଯୋଗୁଁ ସେମାନଙ୍କ ମଧ୍ୟରେ ଆତ୍ମହତ୍ୟାର ସମ୍ଭାବନା ଉଦ୍ରେକ ହେଉଥିବା ସେ ପ୍ରତିକ୍ରିୟା ଦେଇଛନ୍ତି । ତେବେ ଉଚିତ ପରାମର୍ଶ ପାଇଲେ ଏହା ଉପରେ ବିଜୟ ହାସଲ କରିହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।
କୋରାପୁଟ ସିଏଚ୍ ଶାନ୍ତାକାର, ଇଟିଭି ଭାରତ