କୋରାପୁଟ: ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ପ୍ରକୃତି ଖଞ୍ଜିଦେଇଛି ସବୁକିଛି । ଏହି ଜିଲ୍ଲା ଆଦିବାସୀ କଳା ସଂସ୍କୃତିର ପରିଚୟ ସାରା ବିଶ୍ବରେ ଦେଇସାରିଛି । ତଥାପି କୋରାପୁଟ କାହିଁକି ଗରିବ ହୋଇ ରହିଛି । ଯାହାର ଉତ୍ତର ସବୁବେଳେ କିଛି ଷ୍ଟାଟିଷ୍ଟିକସ ଓ ଭାଷଣରେ ସୀମିତ ରହିଯାଉଛି । ଏହି ଜିଲ୍ଲାର ବିକାଶର ସ୍ଥିତି ସଂକ୍ରାନ୍ତରେ ସୋମବାର କୋରାପୁଟର ଆଦିବାସୀ ସଂଗ୍ରହାଳୟ ପରିସରରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।
ସାହିତ୍ୟ ଉତ୍ସବ ପାଳନ ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଥିବା ବକ୍ତା ଏ ବିଷୟରେ ନିଜ ନିଜ ମତ ଉପସ୍ଥାପନ କରିଥିଲେ । ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦଙ୍କ ମତ ଅନୁସାରେ ସମସ୍ତେ କୋରାପୁଟର ବିକାଶ ଦେଖିବା ପାଇଁ ଇଛୁକ ।
ଏହି ଜିଲ୍ଲାରେ ନାଲ୍କୋ ଓ ହାଲ ଭଳି କମ୍ପାନୀ ଗଢି ଉଠିଥିବା ସହ ସରକାରଙ୍କ ଦ୍ବାରା ଏ ଅଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଶିଶୁ ମୃତ୍ୟୁ ହାର,ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଜିଲ୍ଲା ପଛରେ ପଡିଯାଇଥିବା ସେ କହିଛନ୍ତି । ଯୋଜନା ଓ ତାର କାର୍ଯ୍ୟକ୍ଷମ ହେବା ମଧ୍ୟରେ ଅନେକ ମାତ୍ରାରେ ଫରକ ରହିଛି !
ବିକାଶ ନିମନ୍ତେ କରାଯାଉଥିବା ଗବେଷଣାର ଫଳ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ତେବେ ଏହା କେବଳ ସରକାର ନୁହେଁ କିନ୍ତୁ ସମସ୍ତ ସଚେତନ ବ୍ୟକ୍ତି ଏ କ୍ଷେତ୍ରରେ ପଦକ୍ଷେପ ନେବା ପାଇଁ ଆଗେଇ ଆସିବା ଦରକାର ବୋଲି ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ମତ ରଖିଛନ୍ତି ।
ସାହିତ୍ୟ ସାଧାରଣ ବ୍ୟକ୍ତିଙ୍କ କଥା କହିବା ଦରକାର ଏବଂ କୋରାପୁଟ ସାହିତ୍ୟ ଉତ୍ସବ ଏଦିଗରେ ଏକ ସକାରାତ୍ମକ ଦିଗନେଇ କାର୍ଯ୍ୟକରିବା ଦରକାର । ଏନେଇ ସର୍ବପ୍ରଥମେ ଗୋପୀନାଥ ମହାନ୍ତି ପରଜା ଭଳି କାଳଜୟୀ ଉପନ୍ୟାସଙ୍କ କୋରାପୁଟର ବାସ ଭବନଟିକୁ ଏକ ମେମୋରିଆଲ କରିଦିଆଯିବାର ଆବଶ୍ୟକତା ରହିଛି ବୋଲି ସେ ଦାବି କରିଛନ୍ତି । ଏ ଅଞ୍ଚଳର ପ୍ରଗତି ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ସମ୍ମାନ ଜଣାଇବା ମଧ୍ୟ ଏହି ଅଞ୍ଚଳର ବିକାଶର ଉପାଦାନ ବୋଲି ସେ କହିଛନ୍ତି ।
କୋରାପୁଟର ବକ୍ସାଇଟ ଖଣି ବିଶ୍ବ ସ୍ତରରେ ପହଞ୍ଚି ପାରିଛି । କିନ୍ତୁ ଏହି ବକ୍ସାଇଟ ଉତ୍ତୋଳନ ଦ୍ବାରା ସାଧାରଣ ବ୍ୟକ୍ତି ଲାଭବାନ ହୋଇପାରିନଥିବା ଦୁଃଖଦ ଘଟଣା ବୋଲି ସେ କହିଛନ୍ତି । କୋରାପୁଟ ଅଞ୍ଚଳରେ ଖଣି ଖାଦାନ,ଶିଳ୍ପ ଗଢି ଉଠିଥିଲେ ମଧ୍ୟ ଏହି ଅଞ୍ଚଳରୁ ବହୁମାତ୍ରାରେ ଲୋକ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯିବା ଦୁଃଖଦ ବିଷୟ ।
କୋରାପୁଟ ଜିଲ୍ଲାରେ ପ୍ରଗତି ପହଞ୍ଚି ପାରୁନଥିବା ଉଦାହରଣ ଦେଇ ରାଜ୍ୟର ବିଶିଷ୍ଟ ସମାଜସେବୀ ଉମି ଡାନିଏଲ କହିଛନ୍ତି ଆଦିବାସୀଙ୍କ ବିକାଶ ବିନା କୋରାପୁଟର ପ୍ରଗତି ଅସମ୍ଭବ ।
କୋରାପୁଟରୁ ସି.ଏଚ୍ .ଶାନ୍ତାକାର, ଇଟିଭି ଭାରତ