କୋରାପୁଟ: ଏବେ ଚୈତ୍ର ମାସ । ବର୍ଷର ଏହି ସମୟଟି କୋରାପୁଟର ଆଦିବାସୀଙ୍କ ପାଇଁ ଏକ ମହା ଆନନ୍ଦର ସମୟ । ତେବେ କୋଭିଡ କଟକଣାକୁ ଆଖିରେ ରଖି ଗତବବର୍ଷ ଏହି ପର୍ବକୁ ପାଳନ କରିବା ଉପରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ରୂପେ ବାରଣ କରିଥିବା ଯୋଗୁଁ ଗାଁର ପବିତ୍ର ନିଶାଣିମୁଣ୍ଡା ମଧ୍ୟ ନିରବ ହୋଇଯାଇଥିଲା । କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ପାଳନ କରିବାର ସୁଯୋଗ ପାଇ ବହୁ ଆନନ୍ଦରେ ଆଦିବାସୀ ଜନଜାତି ନାଚଗୀତ ମାଧ୍ୟମରେ ଗ୍ରାମଦେବୀଙ୍କୁ ପୂଜାର୍ଚନା କରିଛନ୍ତି ।
ଘରେ ଘରେ ପୂଜା ପାର୍ବଣ ହୋଇ, ଦିନରାତି ଏକ କରି ସାଇଲୋଡି ନୃତ୍ୟରେ ଝୁମି ଉଠିବାର ପରମ୍ପରା ଥିବା ବେଳେ ପ୍ରଶାସନ ତରଫରୁ ଲଗାଯାଇଥିବା କୋରୋନା ପ୍ରତିବନ୍ଧକ ଯୋଗୁଁ ଯଥାସମ୍ଭବ କମ ସଂଖ୍ୟକ ଲୋକଙ୍କ ଗହଣରେ ପୂଜା ଅନୁଷ୍ଠିତ ହୋଇଥିଲା । ବେଣ୍ଟ ଯାତ୍ରାରେ ଅସ୍ତ୍ର ଶସ୍ତ୍ର ସହିତ ସାମୁହିକ ଭାବେ ଜଙ୍ଗଲକୁ ଯିବା ଚୈତ୍ର ପର୍ବର ମୁଖ୍ୟ ଆକର୍ଷଣ । କିନ୍ତୁ ତାହାବି ବାଧା ପ୍ରାପ୍ତ ହୋଇଥିବା ଯୋଗୁଁ ଯୁବଗୋଷ୍ଠୀକୁ ମାନସିକ ଭାବେ ଶକ୍ତ ଆଘାତ ଲାଗିଥିବା ମାଛରା ଗ୍ରାମବାସୀ କହିଛନ୍ତି । ତେବେ ସମସ୍ତ କଟକଣା ସତ୍ଵେ ଗାଁର ଝିଅ ମା’ ମାନେ ଜଙ୍ଗଲରୁ ବିଭିନ୍ନ ଡାଳପତ୍ର ଆଣିବା ସହ ଗ୍ରାମଦେବୀଙ୍କ ପାଖରେ ଚଇତ୍ରା ଗୀତ ଓ ନୃତ୍ୟ ମାଧ୍ୟମରେ ପରିବାରର ଓ ସମଗ୍ର ସମାଜର ମଙ୍ଗଳ କାମନା କରିପାରିଥିବା ଯୋଗୁଁ ବେଶ ଖୁସିଥିବା କହିଛନ୍ତି ।
ପ୍ରତୀକାତ୍ମକ ଭାବେ ଚଳିତ ବର୍ଷ ଗାଁର ଝିଅ ବୋହୂ, ଯୁବକମାନଙ୍କୁ ଜଙ୍ଗଲକୁ ବେଣ୍ଟ ଶିକାରକୁ ଯାଇ ଫେରିବା ପାଇଁ ମେଲାଣି ଦେଇଛନ୍ତି । ଏହି ବେଣ୍ଟ ଶିକାରରେ କୌଣସି ଏକ ପଶୁ ବା ପକ୍ଷୀକୁ ଶିକାର କରି ଫେରିବାର ପରମ୍ପରା ଥାଏ । କିନ୍ତୁ ଚଳିତ ବର୍ଷ ବେଣ୍ଟ ଶିକାରକୁ ସରକାର ବାରଣ କରିଥିବା ଯୋଗୁଁ ଯୁବକମାନେ କେବଳ ଜଙ୍ଗଲ ମଧ୍ୟକୁ ଯାଇ ଫେରିଆସିବେ । ଏବଂ ଫେରିବା ପରେ ଚାଷ କମ ପାଇଁ ଗାଁରେ ପୂଜା କରାଯିବାର ପରମ୍ପରା ଥିବା ଗ୍ରାମବାସୀ କହିଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ