କୋରାପୁଟ: ଜିଲ୍ଲାର ବିଭିନ୍ନ ସହର ଓ ଗାଁ ଗଣ୍ଡାରେ ନିଜ କଳାତ୍ମକ ଆକାଂକ୍ଷାକୁ ନେଇ ଜୀବନ ଜିଉଁଥିବା ସେଦିନର ଶିଶୁ, ଯୁବକ ଯୁବତୀଙ୍କ ମଧ୍ୟରୁ ଶତାଧିକ କଳାପ୍ରେମୀଙ୍କୁ ଗତ 35 ବର୍ଷ ମଧ୍ୟରେ ସୁନାବେଡାସ୍ଥିତ ସଙ୍ଗୀତ,ନୃତ୍ୟ ଓ କଳାର ସଂସ୍ଥା ଶ୍ରୀଅରବିନ୍ଦ କଳାଭବନ କର୍ମସଂସ୍ଥାନ ଯୋଗାଇ ଆସିଛି ।
ଚିତ୍ରାଙ୍କନ ସମେତ ଓଡିଶୀ ଓ ଭାରତନାଟ୍ୟମ ଭଳି ଶାସ୍ତ୍ରୀୟ ନୃତ୍ୟ ଏବଂ ଗୀଟାର ଠାରୁ ଆରମ୍ଭ କରି ବଂଶୀବାଦନ ପର୍ଯ୍ୟନ୍ତ ବାଦ୍ୟଯନ୍ତ୍ର ବଜାଇବାର କୌଶଳ ଶିକ୍ଷା ଗ୍ରହଣ କରି ସହସ୍ରାଧିକ ଯୁବ କଳାକାର ଅନେକମାତ୍ରାରେ ଲାଭବାନ ହୋଇଛନ୍ତି । ଏନେଇ କହିଛନ୍ତି ଏହି ସଂସ୍ଥାର ସମ୍ପାଦକ ଅମଳେନ୍ଦୁ ଜାନା ।
ଏହି ଦୁରୁହ କାର୍ଯ୍ୟକୁ ସଫଳ ରୂପ ଦେବାପାଇଁ ଏହି ସଂସ୍ଥା ଦ୍ବାରା ସିଧାସଳଖ ଭାବେ ନିୟୋଜିତ ହୋଇଥିବା ଶିକ୍ଷକଙ୍କ ସମେତ ଅନୁଷ୍ଠାନ ସହ ଅନୁବନ୍ଧିତ କିଛି ଅନୁଷ୍ଠାନର ପ୍ରୟାସରେ ସୁନାବେଡା , କୋରାପୁଟ, ସେମିଳିଗୁଡା ଓ ଦାମନଯୋଡିର ବିଭିନ୍ନ ଶିକ୍ଷଣ କେନ୍ଦ୍ରରେ କଳା ପିପାଶୁଙ୍କୁ ତାଲିମ ପ୍ରଦାନ କରାଯାଉଛି ।
ଏହି ଅନୁଷ୍ଠାନଟି କୋରାପୁଟ ଭଳି ଏକ ଉପାନ୍ତ ଅଞ୍ଚଳରେ ପିଲାଙ୍କ ମଧ୍ୟରେ ନୂତନ ଆଶା ସଂଚରିତ କରିଛି ମଧ୍ୟ । ଏହି ଅନୁଷ୍ଠାନରେ ଦିନେ ଛାତ୍ରଭାବେ ଅଧ୍ୟୟନ କରି ବର୍ତମାନ ଏହି ଅନୁଷ୍ଠାନ ଓ ଅନ୍ୟାନ୍ୟ ଅନୁଷ୍ଠାନ ଗୁଡିକରେ ତାଲିମ ପ୍ରଦାନ କରୁଥିବା ଏହି ଅଂଚଳର ବିଶିଷ୍ଟ ଯୁବ ଚିତ୍ରକର ଅନୁରାଗ ପାତ୍ର ମତ ରଖିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ