କୋରାପୁଟ: କୋରାପୁଟ ଏକ ଆଦିବାସୀ ବହୁଳ ଜିଲ୍ଲା ଭାବେ ଜଣାଶୁଣା । ଆଦିବାସୀ ସମ୍ପ୍ରଦାୟର ଭିନ୍ନ ପରମ୍ପରା। ଏହି ଜିଲ୍ଲାରେ ଥିବା ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଭିନ୍ନ ଭିନ୍ନ ଉତ୍ସବ ଜିଲ୍ଲାରେ ଆଦିବାସୀ ପରମ୍ପରାକୁ ଏକ ନୂତନ ପରିଚୟ ପ୍ରଦାନ କରିଛି । ବର୍ଷର ଏହି ସମୟଟି କୋରାପୁଟର ଆଦିବାସୀଙ୍କ ପାଇଁ ମହାଆନନ୍ଦର ସମୟ । ବୈପାରିଗୁଡା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଗୁପ୍ତେଶ୍ୱର ଶୈବପୀଠ ନିକଟ ଜଙ୍ଗଲ ମଧ୍ୟରେ ଥିବା ସିରିବେଡା ଗ୍ରାମରେ ଦୁରୁଆ ଜନଜାତି ଆନନ୍ଦ ଉଲ୍ଲାସର ସହ ଚୈତ୍ର ପର୍ବ ପାଳନ କରିଛନ୍ତି ।
ଶିରିବେଡ଼ା ସମେତ ଓଡ଼ିଶା ଓ ଛତିଶଗଡ଼ରେ ଡୁରୁଆ ପରିବାର ବସବାସ କରୁଥିବା ୨୦ ରୁ ଉର୍ଦ୍ଧ୍ବ ଗ୍ରାମର ଲୋକେ ଓ ଗାଁ ପୂଜକ ଦିଶାରୀ ଶିରିବେଡା ନିକଟସ୍ଥ ଏକ ପଥର ଗୁମ୍ଫା ନିକଟରେ ଏକତ୍ରିତ ହୋଇ ପାରମ୍ପରିକ ରୀତିରେ ଚୈତ୍ର ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଶନିବାର ଏହି ଜନଜାତିର ଲୋକେ ଆମ୍ବ ଖାଇବା ଆରମ୍ଭ କରିବା ସହ ଚାଷୀମାନେ ପାହାଡ଼ ଡଙ୍ଗରରେ ଧାନ ଓ ମାଣ୍ଡିଆ ବିହନ ବୁଣିବାକୁ ଆରମ୍ଭ କରିଥାନ୍ତି ।
ପୁରୁଷ ଦିଶାରି ଓ ମହିଳା ଗୁରୁମାଇ ମାନେ ପଥର ଗୁଡ଼ିକ ମଧ୍ୟରେ ଥିବା ଦେବୀ ଦେବତାଙ୍କୁ ଆବାହନ କରିଥିଲେ । ସ୍ଥାନୀୟ ବାସିନ୍ଦାଙ୍କ କହିବାଅନୁସାରେ, ଯେଉଁମାନେ ଗ୍ରାମ ଦିଶାରି ଓ ଗୁରୁମାଈଙ୍କ ଦ୍ଵାରା ଉପକୃତ ହୋଇଥିଲେ ସେମାନେ ଆଜି ସଂପୃକ୍ତ ଦିଶାରୀ ଓ ଗୁରୁମାଇଙ୍କୁ ଦେବୀ ଦେବତାଙ୍କ ସମ୍ମୁଖରେ କୃତଜ୍ଞତାର ଭେଟି ପ୍ରଦାନ କରିଥିଲେ ।
ସନ୍ଧ୍ୟା ସମୟରେ ସୂର୍ଯ୍ୟାସ୍ତ ହୋଇ ଆସୁଥିବା ବେଳେ ପାରମ୍ପରିକ ବସ୍ତ୍ର ପରିଧାନ କରି ଦିଶାରୀ ଓ ଗୁରୁମାଇଙ୍କ ଏହି ଅଭିନବ ପୂଜାର୍ଚ୍ଚନା ଦେଖିବା ପାଇଁ ଅଞ୍ଚଳବାସୀଙ୍କ ଭିଡ଼ ଲାଗିଥିଲା । ପ୍ରତୀକାତ୍ମକ ଭାବେ ଯୁବକମାନେ ଜଙ୍ଗଲକୁ ବେଣ୍ଟ ଶିକାରକୁ ଯାଇ ଫେରିବା ପାଇଁ ମେଲାଣି ଦେଇଛନ୍ତି । ଏହି ବେଣ୍ଟ ଶିକାରରେ କୌଣସି ଏକ ପଶୁ ବା ପକ୍ଷୀକୁ ଶିକାର କରି ଫେରିବାର ପରମ୍ପରା ଥାଏ ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ