କୋରାପୁଟ: ଲକ୍ଷ୍ମୀପୁର ବ୍ଲକର କୋଡ଼ିଙ୍ଗାମାଳି ପାହାଡ଼ରୁ ବକ୍ସାଇଟ ଖନନକୁ ବିରୋଧ କରି ୨୪ଟି ଗ୍ରାମର ଗ୍ରାମବାସୀ ଖଣି ଖନନ ହେଉଥିବା ସ୍ଥାନରେ ରାସ୍ତା ଅବରୋଧ କରି ପାଞ୍ଚଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି । ଗତ ଦୁଇ ବର୍ଷ ଧରି କୌଣସି କମ୍ପାନୀ ନହୋଇ କେବଳ ମାଟି ଉଠାଇ ନେଉଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ । ନିଯୁକ୍ତି ଦାବି ଓ ରିଫାଇନାରୀ ସ୍ଥାପନା କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଏହି ଖଣି ଖନନ ପାଇଁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଏହି ଅଞ୍ଚଳରେ କୌଣସି ପଲ୍ଲୀସଭା ବା ଗ୍ରାମସଭା ଅନୁଷ୍ଠିତ କରିନାହିଁ ଓ ବେଆଇନ ଭାବେ ଖଣି ଖନନ କରିଚାଲିଛି । ଏହା ଅଞ୍ଚଳବାସୀଙ୍କ ପାଇଁ ଅନ୍ୟାୟ ବୋଲି ଅଭିଯୋଗ ହୋଇଛି । ଯେ ପର୍ଯ୍ଯନ୍ତ ପଲ୍ଲୀସଭା ଆୟୋଜିତ ନହୋଇ ସମାଧାନ ବାହାର ନକରାଯାଇଛି ସେଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସଦସ୍ୟ ମତ ରଖିଛନ୍ତି ।
ବେଆଇନ ଖଣି ଖନନ କାରଣରୁ ଚାଷଜମି ମଧ୍ୟ ପ୍ରଭାବିତ ହେଉଛି । ଏହି ଆନ୍ଦୋଳନକୁ ସମର୍ଥନ କରୁଥିବା ବ୍ୟକ୍ତି ବିଶେଷଙ୍କ ଅଭିଯୋଗ କ୍ରମେ ବିଭିନ୍ନ ମହଲରୁ କ୍ଷତିଗ୍ରସ୍ତ ଲୋକଙ୍କୁ ନ୍ୟାୟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ମାତ୍ର କମ୍ପାନୀ ଏହାକୁ ତିଳେ ମାତ୍ର ଖାତିର କରୁନାହିଁ । ତେବେ ଜାତୀୟ ଅନୁସୂଚିତ ଜନଜାତି କମିଶନ ଦ୍ୱାରା ଓଡ଼ିଶାର ମୁଖ୍ୟ ସଚିବଙ୍କୁ ପଠାଯାଇଥିବା ପତ୍ରରେ ପ୍ରଭାବିତ ଲୋକଙ୍କ ଅଭିଯୋଗ ଉପରେ ଆସନ୍ତା ୧୫ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦିଆଯିବ । ଏହି ସୂଚନା ମିଳିବା ପରେ ଆନ୍ଦୋଳନକାରୀଙ୍କ ପାଇଁ ନ୍ୟାୟ ପାଇବାର ଆଶା ଉଜ୍ଜ୍ବଳ ହୋଇଥିବା କହିଛନ୍ତି କୋଡିଙ୍ଗାମାଳି ସୁରକ୍ଷା ସମିତି ସଦସ୍ୟ ।
କୋରାପୁଟରୁ ସିଏଚ ସାନ୍ତାକାର,ଇଟିଭି ଭାରତ