କୋରାପୁଟ: ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ କୋଟିଆ ପଞ୍ଚାୟତରେ ସୀମା ବିବାଦକୁ ନେଇ ସଂଘର୍ଷ ଚାଲିଥିବା ବେଳେ ପାହାଡ଼ ପର୍ବତ ମଧ୍ୟରେ ଛପି ରହିଥିବା ଛୋଟ ବଡ ଗାଁ ଗୁଡିକରେ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯାଇଛି । କୋଟିଆ ପଞ୍ଚାୟତର ଏକ ନିଭୃତ କୋଣରେ ପାହାଡ଼ ଉପରେ ଥିବା ଗାଁ ଡଲିଆମ୍ବରେ ITDA ତରଫରୁ ଷ୍ଟ୍ରବେରୀ ଭଳି ଅର୍ଥକାରୀ ଫସଲ କରି ଗ୍ରାମବାସୀଙ୍କୁ ସ୍ୱାବଲମ୍ବୀ କରିବାର ପ୍ରକ୍ରିୟା ଆରମ୍ଭ ହୋଇଥିବା ଜିଲ୍ଲାପାଳ ଅବଦଲ ଅକ୍ତର ଜଣାଇଛନ୍ତି ।
ଡଲିଆମ୍ବରେ ବର୍ଷର ଅଧିକାଂଶ ସମୟ ଜଳବାୟୁ ଥଣ୍ଡା ରହୁଥିବା ଯୋଗୁଁ ଏହାକୁ ଷ୍ଟ୍ରବେରୀ ଚାଷ କରିବା ପାଇଁ ଉପଯୁକ୍ତ ସ୍ଥାନ ଭାବେ ଚୟନ କରାଯାଇ ଗ୍ରାମବାସୀଙ୍କ ସହଭାଗିତାରେ ଗାଁ ନିକଟରେ ପାଞ୍ଚ ଏକର ଜାଗାକୁ ଷ୍ଟ୍ରବେରୀ ଚାଷ ଉପଯୋଗୀ କରାଯାଇଛି । ଏହି ଚାଷ ପାଇଁ ଚାରା ପୁନେରୁ ଅଣାଯାଇଥିବା ବେଳେ ଖେତ ପ୍ରସ୍ତୁତିରେ ବିଶେଷଜ୍ଞ ସହଯୋଗ କରୁଥିବା ଏସଡିସିର ପ୍ରକଳ୍ପ ଅଧିକାରୀ କାଶୀ ପ୍ରସାଦ ନାୟକ ଜଣାଇଛନ୍ତି ।
ଗ୍ରାମବାସୀଙ୍କ ଉତ୍ସାହ ଦେଖିଲେ ଡଲିଆମ୍ବରେ ଷ୍ଟ୍ରବେରୀ ଚାଷ ସମଗ୍ର କୋଟିଆ ପଞ୍ଚାୟତ ପାଇଁ ଏକ ପ୍ରେରଣାଦାୟୀ ଉଦାହରଣ ହେବ ବୋଲି ସେ ଆଶାପୋଷଣ କରିଛନ୍ତି । ବର୍ତ୍ତମାନ ଫଳ ଧରିବା ଆରମ୍ଭ ହୋଇଯାଇଥିବା ଯୋଗୁଁ ପାଞ୍ଚ ଏକରରେ ଲଗାଯାଇଥିବା ୫୫ ହଜାର ଷ୍ଟ୍ରବେରୀ ଗଛରୁ ପ୍ରାୟ ୨୫ ଟନ ଫଳ ଉତ୍ପାଦିତ ହେବ ବୋଲି ସେ ଆଶାପୋଷଣ କରିଛନ୍ତି । ଅପରପକ୍ଷରେ ଗ୍ରାମବାସୀ ମଧ୍ୟ ଏହି ନୂତନ ଚାଷର ସଫଳତାକୁ ନେଇ ଏକ ଉଜ୍ଜ୍ୱଳ ଭବିଷ୍ୟତ ଦେଖିପାରୁଛନ୍ତି ବୋଲି ଗାଁର ଯୁବକ ଅନିଲ ପାଙ୍ଗି ଜଣାଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ