କୋରାପୁଟ: ଆରମ୍ଭ ହେଲା ରାଜ୍ୟସ୍ତରୀୟ ପରବ ମହୋତ୍ସବ । ଶନିବାର ସନ୍ଧ୍ୟାରେ କୋରାପୁଟର ସରକାରୀ ମହାବିଦ୍ୟାଳୟ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ପରବ ମହୋତ୍ସବର ଉଦଘାଟନ ହୋଇଯାଇଛି । ଉଦଘାଟନୀ ସମାରୋହରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇଥିଲେ । ଏଥିସହ କୋରାପୁଟ ଓ ନବରଙ୍ଗପୁର ସାଂସଦ ତଥା ଜିଲ୍ଲାର ସମସ୍ତ ବିଧାୟକ ସାମିଲ ହୋଇଥିଲେ ।
କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତରଙ୍କ ଅଧ୍ୟକ୍ଷତାରେ ମହୋତ୍ସବ ଉଦଘାଟିତ ହୋଇଥିଲା । ଏହି ଅବସରରେ ଜିଲ୍ଲାପାଳ କହିଛନ୍ତି," ପରବ ମାଧ୍ୟମରେ ଲୁକ୍କାୟିତ ପ୍ରତିଭାର ସଫଳତାର ସହ ସନ୍ଧାନ ହୋଇପାରିଛି । ୧୯୯୬ରେ ଆରମ୍ଭ କରାଯାଇଥିବା ପରବ ଉତ୍ସବ କେବଳ ଏକ ସାଂସ୍କୃତିକ ଉତ୍ସବ ନହୋଇ ଆଜି ପରବ ନିଜର ରୌପ୍ୟ ଜୟନ୍ତୀ ପାଳନ କରୁଛି । ପରବ ଏହି ଅଞ୍ଚଳ ଜୀବନଧାରାର ଏକ ଅଭିନ୍ନ ଅଙ୍ଗ ପାଲଟିଯାଇଛି ।"
ଚଳିତ ବର୍ଷ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମସ୍ଥାନ ତେନ୍ତୁଳିଗୁମ୍ମାରେ ଶୁଭାରମ୍ଭ କରାଯାଇଥିବା ପରବ ପଞ୍ଚାୟତ ସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଜନ ସହଯୋଗ ଓ ସମ୍ପୃକ୍ତିର ସହ ସଫଳତାର ଶୀର୍ଷରେ ପହଂଚିଥିବାରୁ କୋରାପୁଟ ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ କଳା ଓ ସଂସ୍କୃତି କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ପରବ ସମ୍ମାନରେ ସମ୍ମାନିତ କରାଯାଇଛି ।
ଆସନ୍ତା ତିନିଦିନ ଧରି ଚାଲିବାକୁ ଥିବା ଉତ୍ସବରେ ସ୍ଥାନୀୟ କଳାକାରଙ୍କ ଠାରୁ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ସାଂସ୍କୃତିକ ଦଳ ନିଜ ଲୋକକଳାର ପ୍ରଦର୍ଶନ କରିବେ । ଉଦଘାଟନୀ ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । କୋରାପୁଟ ଲୋକନୃତ୍ୟ ପ୍ରସିଦ୍ଧ ଢେମସା ନାଚରେ ମଞ୍ଚ ଦୁଲୁକିଥିଲା । ରାଜ୍ୟ ତଥା ରାଜ୍ୟ ବାହାରର ଲୋକନୃତ୍ୟ ଏବଂ ଗୀତ ଦର୍ଶକଙ୍କୁ ବିଳମ୍ବିତ ରାତି ଯାଏ ବାନ୍ଧି ରଖିଥିଲା ।
ଇଟିଭି ଭାରତ, କୋରାପୁଟ