କୋରାପୁଟ: ମହାଦେଇପୁଟ ଆବାସିକ ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷର ବିଦ୍ୟାଳୟ କ୍ୟାବିନେଟ ଆୟୋଜିତ ହୋଇଯାଇଛି। ନୂତନ କର୍ମକର୍ତ୍ତାଙ୍କୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିର୍ବାଚିତ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ଏହି ମନ୍ତ୍ରୀମଣ୍ଡଳରେ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ଶିକ୍ଷା, ସ୍ୱାସ୍ଥ୍ୟ , ଜଳ ଓ ପରିମଳ, ପରିବେଶ, କ୍ରୀଡା ଓ ସଂସ୍କୃତି , ସୂଚନା ଓ ଶିଶୁ ସାମ୍ବାଦିକତା ମନ୍ତ୍ରୀ ନିର୍ବାଚିତ ହେବା ସହ ପ୍ରତିଟି ବିଭାଗର ଉପମନ୍ତ୍ରୀ ମଧ୍ୟ ରହିଛନ୍ତି । ତେବେ ବିଦ୍ୟାଳୟକୁ ସବୁ କ୍ଷେତ୍ରରେ ଏକ ନମ୍ବର କରିବାକୁ ସମସ୍ତେ ଶପଥ ଗ୍ରହଣ ମଧ୍ୟ କରିଥିଲେ ।
କୋରାପୁଟ ଜିଲ୍ଲାରେ ବହୁଳ ଭାବେ ଆଦୃତ ଏହି ପ୍ରକ୍ରିୟା ପ୍ରତିବର୍ଷ ଗଣତାନ୍ତ୍ରିକ ପଦ୍ଧତିରେ ପିଲାଙ୍କ ମଧ୍ୟରେ ନେତୃତ୍ୱ ନେବାର ସାହସ, ଅଧିକାରକୁ ସାବ୍ୟସ୍ତ କରିଥାଏ । ଏଥି ସହ ଅନ୍ୟର ଅଧିକାରକୁ ସମ୍ମାନ ଦେବାର ଗୁରୁ ଦାୟିତ୍ୱ , ନିଜ ଓ ଅନ୍ୟମାନଙ୍କ ଜୀବନକୁ ପ୍ରଭାବିତ କରୁଥିବା ଘଟଣାବଳୀ ସମ୍ପର୍କରେ ଜାଣିବା ଓ ଜଣାଇବା, ଉପସ୍ଥିତ ସମସ୍ତ ମଞ୍ଚରେ ନିଜକୁ ପରିପ୍ରକାଶ କରିବାକୁ ଚେଷ୍ଟା କରିବା ଭଳି ସକାରାତ୍ମକ ଭାବକୁ କ୍ରିୟାଶୀଳ କରିଥାଏ ବୋଲି ରାଜ୍ୟ ସ୍ତରୀୟ ତାଲିମ ଦାତା ତଥା ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ରଥ ଜଣାଇଛନ୍ତି ।
ନିର୍ବାଚିତ ହୋଇ ପ୍ରତିନିଧି ଭାବେ ବିଦ୍ୟାଳୟ କ୍ୟାବିନେଟକୁ ଆସିଥିବା ପିଲା ମାନେ ସାମୁହିକ ବିକାଶରେ ନିଜର ବିକାଶ କରିଚାଲିଥାନ୍ତି । ଶିକ୍ଷାବିତ ମାନେ ଏହି ପ୍ରକ୍ରିୟା ପିଲାଙ୍କ ମଧ୍ୟରେ ବିଦ୍ୟାଳୟକୁ ଆସିବା ପାଇଁ ଉତ୍ସାହ ବୃଦ୍ଧି ହେବା ସହିତ ଶ୍ରେଣୀଗୃହରେ ଶିକ୍ଷା ଗ୍ରହଣ କରିବାରେ ଅଭୂତପୂର୍ବ ସହଯୋଗ କରିଛି ବୋଲି ପ୍ରଧାନ ଶିକ୍ଷ ସୂଚନା ପ୍ରଦାନ କରିଥିଲେ । ବିଦ୍ୟାଳୟ କ୍ୟାବିନେଟରେ ସାମିଲ ହୋଇଥିବା ଯୋଗୁଁ ପିଲାମାନେ ନୂଆକଥା ଜାଣିବା ପାଇଁ ଉତ୍ସାହିତ ଅଛନ୍ତି ।
ପିଲାମାନଙ୍କୁ ବିଦ୍ୟାଳୟର ଶ୍ରେଣୀଗୃହ ମଧ୍ୟରେ ଦିଆଯାଉଥିବା ଜ୍ଞାନ ଯେତିକି ଗୁରୁତ୍ୱପୂର୍ଣ୍ଣ , ପିଲାଏ ପରସ୍ପର ସହ ଆଲୋଚନା ଓ ବିଶ୍ଳେଷଣ କରି ପରିବେଶରୁ ମୁକ୍ତ ଭାବେ ଜ୍ଞାନ ଲାଭ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । କୋରାପୁଟ ଜିଲ୍ଲାର ଅନେକ ସ୍ଥାନରେ ବିଦ୍ୟାଳୟ କ୍ୟାବିନେଟ ଏ ଦିଗରେ ସଫଳତା ଅର୍ଜନ କରିଛି ବୋଲି ପ୍ରଧାନଶିକ୍ଷକ ମତ ରଖିଛନ୍ତି । ସୋମବାର ଶପଥ ଗ୍ରହଣ କରିଥିବା କ୍ୟାବିନେଟର ନୂତନ ଭାବେ ନିର୍ବାଚିତ କର୍ମକର୍ତ୍ତା ଏକ ନୂତନ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଦିଗରେ ଆଗେଇ ଆସିବେ ବୋଲି ବିଦ୍ୟାଳୟ କ୍ୟାବିନେଟର ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି।