କୋରାପୁଟ: ପ୍ରସ୍ତାବିତ ରେଳପଥକୁ ୫ କିଲୋମିଟର ଘୁଞ୍ଚାଇବାକୁ ଦାବି କଲେ ବୋରିଗୁମ୍ମାବାସୀ । ଏନେଇ ବୋରିଗୁମ୍ମାବାସୀ କୋରାପୁଟ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।
ବହୁ ପ୍ରତୀକ୍ଷିତ ଜୟପୁର ଓ ନବରଙ୍ଗପୁର ମଧ୍ୟରେ ହେବାକୁ ଥିବା ରେଳପଥ ବୋରିଗୁମ୍ମା ସହର ମଧ୍ୟ ଦେଇଯାଉଛି । ପ୍ରସ୍ତାବିତ ରେଳ ଲାଇନ ବୋରିଗୁମ୍ମା ସହର ମଧ୍ୟ ଦେଇ ଯାଉଥିବା ଯୋଗଁ ବ୍ୟାପକ କ୍ଷୟକ୍ଷତି ହେବା ଅଭିଯୋଗ କରିଛନ୍ତି । ସହରର ମଧ୍ୟଭାଗ ଦେଇ ଯିବାକୁ ଥିବାବେଳେ ଏହା ଦ୍ବାରା ବହୁତ ଲୋକ ଜମିହରା ସହ ଘରଦ୍ବାର ହରାଇବେ । ସେହିପରି ଭୈରବ ମହାବିଦ୍ୟାଳୟ, ସରସ୍ବତୀ ଶିଶୁ ମନ୍ଦିର ଏବଂ ସହର ମଧ୍ୟ ଭାଗରେ ଥିବା ହସ୍ପିଟାଲ, ଥାନା, ବଜାର ପ୍ରଭୃତି ବହୁ ଉପଯୋଗୀ ସ୍ଥାନ ରହିଥିବା ଯୋଗୁଁ ତେଣୁ ଏହାକୁ ସହର ଠାରୁ ଅନ୍ତତଃ 5 କିଲୋମିଟର ଦୂରକୁ ସ୍ଥାନାନ୍ତର କରିବା ପାଇଁ ବୋରିଗୁମ୍ମାବାସୀ ଦାବି କରିଛନ୍ତି । ଏହି ବାଟଦେଇ ରେଳପଥ ଗଲେ ସହରବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଜିଲ୍ଲାପାଳଙ୍କୁ ଦାବି ଜଣାଇଛନ୍ତି ।
ତେବେ ବୋରିଗୁମ୍ମାବାସୀଙ୍କ ଏହି ଦାବି ଗୁଡିକୁ ଶୁଣିବା ପରେ ସହକାରୀ ଜିଲ୍ଲାପାଳ ଜଗତଜୀବନ ଚୌଧୁରୀ କହିଛନ୍ତି ଯେ ରେଳ ଲାଇନ ପ୍ରକଳ୍ପ ଚୂଡାନ୍ତ ହେବା ପୂର୍ବରୁ ପଲ୍ଲିସଭା, ଗ୍ରାମସଭା ଭଳି ଜନମତ ସଂଗ୍ରହକାରୀ ମାଧ୍ୟମକୁ ବ୍ୟବହାର କରି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି । ସେପଟେ ପ୍ରସ୍ତାବିତ ରେଳପଥକୁ ଯଦି କାର୍ଯ୍ୟକାରୀ କରନ୍ତି ତେବେ ଏହାକୁ ସ୍ଥାନାନ୍ତର କରିବା ଦାବିରେ ଆଗକୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବୋରିଗୁମ୍ମାବାସୀ କହିଛନ୍ତି ।
କୋରାପୁଟରେ ସିଏଚ ଶାନ୍ତାକାର, ଇଟିଭି ଭାରତ