କୋରାପୁଟ: ଚଳିତ ଥର ଶହୀଦ ଲକ୍ଷ୍ମଣ ନାୟକଙ୍କ ପୀଠରେ ରାଜ୍ୟସ୍ତରୀୟ ଆଦିବାସୀ ସାଂସ୍କୃତିକ ଉତ୍ସବ ପରବର ଉଦଘାଟନ ହେବ । ଆସନ୍ତା 17 ତାରିଖରେ ଲକ୍ଷ୍ମଣ ନାୟକଙ୍କ ଜନ୍ମମାଟି ତେନ୍ତୁଳିଗୁମ୍ମାରୁ 25ତମ ପରବ ଉତ୍ସବର ଶୁଭାରମ୍ଭ ହେବ । ଏନେଇ କୋରାପୁଟ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତି ହୋଇଛି । ଚଳିତ ବର୍ଷ ଡିସେମ୍ବର 17ରୁ 21 ତାରିଖ ଯାଏ କୋରାପୁଟରେ 25ତମ ରାଜ୍ୟସ୍ତରୀୟ ଆଦିବାସୀ ସାଂସ୍କୃତିକ ପରବ ଉତ୍ସବ ଅନୁଷ୍ଠିତ ହେବ । ଅନୁଷ୍ଠିତ ବୈଠକରେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା ।
ନଭେମ୍ବର 17ରେ ତେନ୍ତୁଳିଗୁମ୍ମାରେ ପରବ ଉତ୍ସବର ଶୁଭାରମ୍ଭ ହେବ । ପ୍ରାରମ୍ଭିକ ଉତ୍ସବ ଆୟୋଜନ ନେଇ ସବକମିଟି ଆବାହକ ଓ ଅଧ୍ୟକ୍ଷମାନଙ୍କ ସହ ଆଲୋଚନା କରିଥିଲେ । ଚଳିତ ବର୍ଷ ପରବ ଉତ୍ସବରେ କୋରାପୁଟ ଅଞ୍ଚଳର ଆଦିବାସୀଙ୍କ କଳା ଓ ସଂସ୍କୃତିର ପ୍ରଦର୍ଶନ କରାଯିବ । ଦେଶର ବିଭିନ୍ନ ଆଦିବାସୀ ନୃତ୍ୟ ଓ ସଙ୍ଗୀତକୁ ସ୍ଥାନ ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏନେଇ ଜିଲ୍ଲାପାଳ କହିଛନ୍ତି, "ରାଜ୍ୟସ୍ତରୀୟ ଆଦିବାସୀ ସାଂସ୍କୃତିକ ଉତ୍ସବର ରୌପ୍ୟ ଜୟନ୍ତୀ ଅବସରରେ ଦେଶର ବିଶିଷ୍ଟ କଳାକାରମାନଙ୍କୁ ନିମନ୍ତ୍ରଣ କରାଯିବ । ପାରମ୍ପରିକ ଲୋକନୃତ୍ୟକୁ ବିଶେଷ ଭାବରେ ଗୁରୁତ୍ବ ଦିଆଯିବ । କୋରୋନା ପାଇଁ ଦୀର୍ଘ ଦୁଇ ବର୍ଷ ହେବ ପଲ୍ଲିଶ୍ରୀ ମେଳାର ଆୟୋଜନ ହୋଇପାରୁନଥିଲା । ତେଣୁ ଚଳିତ ଥର ମେଳାର ହେବାର କାର୍ଯ୍ୟକ୍ରମ ରହିଛି ।"
ଏହା ମଧ୍ୟ ପଢ଼ନ୍ତୁ: କଫି ଚାଷ ଉପରେ ପଡୁଛି ଜଳବାୟୁ ପରିବର୍ତ୍ତନର ପ୍ରଭାବ
ପରବ ସ୍ମରଣିକାରେ ଦେଶର ବିଭିନ୍ନ ଆଦିବାସୀ ସଂସ୍କୃତି ଉପରେ ପର୍ଯ୍ୟବେଶିତ ଲେଖା ସ୍ଥାନ ପାଇବ । ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ରୀଡା, ସଂସ୍କୃତି, ଚିତ୍ରକଳା, ପର୍ବତାରୋହଣ ଭଳି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ ପୂର୍ବ ଭଳି ସରକାରୀ ମହାବିଦ୍ୟାଳୟର ପଡ଼ିଆରେ ଉତ୍ସବ ପାଳିତ ହେବ । ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଉତ୍ସବ ସମୟରେ ଟ୍ରାଫିକ ବ୍ୟବସ୍ଥାର କିପରି ସୁପରିଚାଳନା କରାଯିବ ସେ ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉପସ୍ଥିତିରେ ଆଲୋଚନା ହୋଇଛି ।
ଅନ୍ୟପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଣେ ଆଦିବାସୀ ମହିଳା ହୋଇଥିବାରୁ ରାଜ୍ୟସ୍ତରୀୟ ଆଦିବାସୀ ଉତ୍ସବର ରୌପ୍ୟ ଜୟନ୍ତୀ ଅବସରରେ ତାଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯିବାର ବ୍ୟବସ୍ଥା ରହିଛି । ଆୟୋଜିତ ବୈଠକରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବୁଦ୍ଧିଜୀବୀ ଓ ବିଭିନ୍ନ ସାଂସ୍କୃତିକ ସଂଗଠନର କର୍ମକର୍ତ୍ତା ସାମିଲ ହୋଇଥିଲେ ।
ଇଟିଭି ଭାରତ, କୋରାପୁଟ