କୋରାପୁଟ: ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଜିଲ୍ଲାରେ ପ୍ରୟାସ ଜାରି ରହିଛି । ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ନୂତନ ଭାବେ ନିର୍ମାଣ ହେଉଥିବା 650 ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲ ଡାକ୍ତରୀ ପାଠ୍ୟକ୍ରମରେ ସ୍ନାତକୋତ୍ତର ଶ୍ରେଣୀ ଖୋଲିବାରେ ସହାୟକ ହେବ । ସେହିପରି ବିଦ୍ୟାଳୟ କ୍ଷେତ୍ରରେ ପିଲାଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କରିବା ପାଇଁ କୋରାପୁଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମେତ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ କ୍ଳାସ ର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି ।
ଏହି ସମସ୍ତ କାର୍ଯ୍ୟର ସମୀକ୍ଷା ପାଇଁ ଆସନ୍ତାକାଲି (ବୁଧବାର) ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ 5T ସଚିବ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ କୋରାପୁଟ ଜିଲ୍ଲା ଗସ୍ତରେ ଆସିବା ନେଇ କାର୍ଯ୍ୟକ୍ରମ ରହିଛି । ତେବେ ଜିଲ୍ଲା ପ୍ରଶାସନ ତରଫରୁ ଏସଂକ୍ରାନ୍ତରେ କୌଣସି ତଥ୍ୟ ଦିଆଯାଇନଥିବ ବେଳେ ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ଅଧିକାରୀଙ୍କ ଟିମ୍ କୋରାପୁଟସ୍ଥିତ ମେଡିକାଲ କଲେଜରେ ନିର୍ମାଣାଧୀନ ହସ୍ପିଟାଲ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ କ୍ଳାସର ନିର୍ମାଣ କାର୍ଯ୍ୟକୁ ପରିଦର୍ଶନ କରିପାରନ୍ତି ବୋଲି ସୂତ୍ରରୁ ଜଣାପଡ଼ିଛି । ତେଣୁ ଏହି ଗସ୍ତକୁ ନେଇ ଦୁଇଟି ସ୍ଥାନରେ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ଦେଖାଯାଇଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ