କୋରାପୁଟ: ଜିଲ୍ଲାସ୍ତରୀୟ 'ଜୀବନ ବିନ୍ଦୁ' କାର୍ଯ୍ୟକ୍ରମର ଶୁଭାରମ୍ଭ । ରବିବାର କୋରାପୁଟର ଚନ୍ଦନ ପୋଖରୀ ନିକଟରେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିୟାନ, ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, କୋରାପୁଟ, ଲକ୍ଷ୍ମୀପୁର ଓ ପଟ୍ଟାଙ୍ଗି ବିଧାୟକଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି । ପ୍ରଥମ ଦିନରେ ମୋଟ 36 ୟୁନିଟ ରକ୍ତଦାନ କରାଯାଇଛି ।
କୋରୋନା କାଳରେ ରକ୍ତ ସଙ୍କଟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଅଭିନବ ପ୍ରୟାସ କରାଯାଇଛି । ସ୍ବାଧୀନତା ଦିବସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ରକ୍ତଦାନର ସଚେତନତା ସୃଷ୍ଟି କରାଯିବ ବୋଲି ଜଣାପଡିଛି । ଏହି ଅବସରରେ ସ୍ଥାନୀୟ ସର୍କିଟ ହାଉସରେ ଏକ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କୋରାପୁଟ ଜିଲ୍ଲାରେ ପ୍ଲାଜମା ସଂଗ୍ରହର ସ୍ଥିତିର ଆକଳନ କରାଯାଇଥିଲା । ଆଜିର ସମୀକ୍ଷା ବୈଠକକୁ ଆଧାର କରି କୋରାପୁଟ ଜିଲ୍ଲାରେ ପ୍ଲାଜମା ବ୍ୟାଙ୍କ ଆରମ୍ଭ କରିବା ନେଇ ଆଲୋଚନା କରାଯିବ ବୋଲି ମନ୍ତ୍ରୀ ଜଗନ୍ନାଥ ସାରକା ସୂଚନା ଦେଇଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ