କୋରାପୁଟ: ସାଧାରଣ ଗରିବ ଲୋକଙ୍କୁ କାମଧନ୍ଦା ଯୋଗାଇବା ପାଇଁ ମନରେଗା ହେଉଛି ଏକ ଉତ୍ତମ ସାମାଜିକ ସୁରକ୍ଷା ଯୋଜନା । ସରକାରୀ ରିପୋର୍ଟ ଅନୁସାରେ ଚଳିତ ବର୍ଷ କେନ୍ଦ୍ର ସରକାର ମନରେଗା ପାଇଁ 10 ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ରାଜ୍ୟ ସରକାର ମଧ୍ୟ ଦୈନିକ 20 ଲକ୍ଷ ଶ୍ରମିକଙ୍କୁ ଏଥିରେ ନିୟୋଜିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଦାବି କରନ୍ତି ।
ତେବେ କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମନରେଗା ଯୋଜନାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା । ଗୋଟିଏ ପଟେ ମନେରେଗା କାମରେ ଜିଲ୍ଲା ଅଗ୍ରଣୀ ବୋଲି ସରକାର ଦର୍ଶାଉଥିବା ବେଳେ କାମ ନପାଇ ବେକାର ବସିଛନ୍ତି ଅନେକ ଲୋକ । ଜିଲ୍ଲାର ମହାଦେଇପୁର ଗ୍ରାମରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଦୀର୍ଘବର୍ଷରୁ ଗାଁର ଅନେକ ଲୋକ ମନେରେଗା ପାଇଁ ଆବେଦନ କରିଥିଲେ ମଧ୍ୟ କାମ ନପାଇ ନିରାଶ ହୋଇବସିଛନ୍ତି । ସେହିପରି 70ରୁ 80 ଜଣଙ୍କର ଜବକାର୍ଡ ନବୀକରଣ ହୋଇନଥିବାରୁ ସେମାନେ ମଧ୍ୟ କାମ ପାଉନାହାଁନ୍ତି । ଏପରିକି ନୂତନ କାର୍ଯ୍ୟ ପାଇଁ କିପରି ଦରଖାସ୍ତ ହେବ ସେନେଇ ମଧ୍ୟ ତାଙ୍କ ପାଖରେ କୌଣସି ସୂଚନା ନାହିଁ ।
ଅନ୍ୟପଟେ ଗ୍ରାମାଞ୍ଚଳରେ ମନେରେଗା ଯୋଜନା ମାଧ୍ୟମରେ ମାଟି ଖୋଳା ଚାଲିଥିଲା । କିଛି ଲୋକ କାମ ପାଇ ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଏବେ ବର୍ଷା ଦିନ କାରଣରୁ ତାହା ବନ୍ଦ ହୋଇଯାଇଛି । ସେପଟେ ସରକାରଙ୍କ ଦକ୍ଷତା ବିକାଶରେ ପ୍ରଶିକ୍ଷଣ ନେଇ ବାହାରେ ରାଜ୍ୟରେ କିଛି କାମ ପାଇଥିବା ଯୁବତୀମାନେ ଲକ୍ଡାଉନ୍ କାରଣରୁ ହାତବାନ୍ଧି ଘରେ ବସିଛନ୍ତି । ସଞ୍ଚୟ କରିଥିବା ଅର୍ଥ ସରିଯିବାରୁ ଏବେ ଚିନ୍ତା ବଢିଛି ।
ତେବେ ମନରେଗା ଯୋଜନାର ବାସ୍ତବ ଚିତ୍ର, ସରକାରୀ ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଏଥିରେ ସନ୍ଦେହ ନାହିଁ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ