କୋରାପୁଟ: କୋରାପୁଟର କୋଟିଆ ଅଞ୍ଚଳକୁ ନେଇ ଆନ୍ଧ୍ରପ୍ରଦେଶ ସହ ଓଡ଼ିଶାର ବିବାଦ ଲାଗି ରହିଛି । ଏହାରି ମଧ୍ୟରେ ଗତ ଗୁରୁବାର ଆନ୍ଧ୍ରପ୍ରଦେଶର ରାଜନୈତିକ ଦଳ ଲୋକସତ୍ତା ପାର୍ଟିର ରାଜ୍ୟ ସଭାପତି ଭିସେଟ୍ଟୀ ବାବାଜୀ କୋଟିଆ ପଞ୍ଚାୟତର ତଳ ଗଞ୍ଜେଇପଦର ଓ ଉପର ଗଞ୍ଜେଇପଦର, କୋଟିଆ, ତଳସେମ୍ବୀ, ଉପର ସେମ୍ବି ଓ ନେରେଡିବାଲାସା ଅଞ୍ଚଳ ପରିଦର୍ଶନ କରିବା ସହ ଓଡ଼ିଶା ଉପରେ କଡ଼ା ଟିପ୍ପଣୀ କରିଛନ୍ତି ।
ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ । ଆନ୍ଧ୍ରର କେହି ପ୍ରଶାସନିକ ଅଧିକାରୀ କିମ୍ବା ରାଜନୈତିକ ନେତା କୋଟିଆ ପଞ୍ଚାୟତରେ ଅନାଧିକାର ପ୍ରବେଶ କଲେ ସେମାନଙ୍କୁ ମାଡ଼ ମାରିବାକୁ ଚେତାବନୀ ଦେଇଛନ୍ତି ବିଧାୟକ । କୋଟିଆରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯାଉଥିବା ବେଳେ ଆନ୍ଧ୍ର ସରକାର ଓ ରାଜନୈତିକ ନେତୃବୃନ୍ଦ କୋଟିଆବାସୀଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ କରିଛନ୍ତି ବିଧାୟକ । ବାରମ୍ବାର ଏଭଳି ଅନୁପ୍ରବେଶ କରି ଲୋକଙ୍କୁ ବିଭ୍ରାନ୍ତି କରାଯିବାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ରୋକଠୋକ୍ କହିଛନ୍ତି ।
କୋରାପୁଟ କୋଟିଆ ପଞ୍ଚାୟତକୁ ନେଇ ଦୀର୍ଘ ଦିନ ହେଲା ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ ଲାଗି ରହିଛି । କୋଟିଆକୁ ନେଇ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ମଧ୍ୟ ହୋଇଥିଲେ । ଚଳିତ ବର୍ଷ ଆନ୍ଧ୍ର ସରକାରଙ୍କ ପକ୍ଷରୁ କୋଟିଆରେ ପଞ୍ଚାୟତ ନିର୍ବାଚନ ମଧ୍ୟ କରାଯାଇଥିଲା । ଏହାକୁ କଡ଼ା ବିରୋଧ କରିଥିଲା ଓଡ଼ିଶା । ପ୍ରକାଶ ଥାଉକି, କୋଟିଆ ଅଞ୍ଚଳରେ ଥିବା ଖଣି ଖାଦାନ ଉପରେ ଓଡ଼ିଶାର ନଜର ରହିଥିବାରୁ ଯୋଗୁଁ ଏହି ଅଞ୍ଚଳରେ ରାସ୍ତାଘାଟ, ଘରଦ୍ୱାର ନିର୍ମାଣ କରାଯାଉଥିବା ଅଭିଯୋଗ କରିଥିଲେ ଭିସେଟ୍ଟୀ ବାବାଜି । କୋଟିଆ ଉପରେ ଓଡ଼ିଶାର ଦଖଲକୁ ଆନ୍ଧ୍ରପ୍ରଦେଶ ସରକାର ମୁକ୍ତ କରିବା ଆବଶ୍ୟକ ରହିଛି ବୋଲି ସେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ସେ ଅନୁରୋଧ କରିଥିଲେ । ଏହାସହ କୋଟିଆ ପଞ୍ଚାୟତର ସମସ୍ତ ଗ୍ରାମରେ ତେଲୁଗୁ ସୂଚକ ଫଳକ ଲଗାଇବା ପାଇଁ ଆନ୍ଧ୍ର ସରକାରଙ୍କ ପାଖରେ ଦାବି କରିଥିଲେ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ