କୋରାପୁଟ: ଜଗନ୍ନାଥ ଚେତନା ଓ ସଂସ୍କୃତିର ବାର୍ତାବହ ସାଜିଛି ଶାବର ଶ୍ରୀକ୍ଷେତ୍ର କୋରାପୁଟର ଜଗନ୍ନାଥ ମନ୍ଦିର । ଏହି ମନ୍ଦିରଟି 1972 ମସିହାରେ ପ୍ରତିଷ୍ଠା ହୋଇଥିବା ବେଳେ ଚଳିତ ବର୍ଷ ଏହାର ସୁବର୍ଣ୍ଣ ଜୟନ୍ତୀ ପାଳିତ ହେଉଛି । ଏନେଇ ପୁରୀର ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ ତଥା ପଣ୍ଡିତ ସଦାଶିବ ରଥଶର୍ମାଙ୍କ ସୁପୁତ୍ର ସୂର୍ଯ୍ୟନାରାୟଣ ରଥଶର୍ମା ମନ୍ଦିରକୁ ଯାଇ ଜଗନ୍ନାଥଙ୍କ ଦର୍ଶନ କରିବା ସହ ସୁବର୍ଣ୍ଣ ଜୟନ୍ତୀ ପାଳନ ବିଷୟରେ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହିତ ଆଲୋଚନା କରିଥିଲେ । ଚଳିତ ବର୍ଷ ମନ୍ଦିରର 50 ବର୍ଷ ପୂର୍ତ୍ତି ଅବସରରେ ଉତ୍ସବ ପାଳନ କରାଯାଉଥିବା ଜାଣି ଏହି ଉତ୍ସବରେ ନିଜେ ଯୋଗ ଦେବା ସହ ଯଜ୍ଞ ଓ ଅନ୍ୟାନ୍ୟ ବିଧି ବିଧାନ ସମ୍ପନ୍ନ କରିବା ପାଇଁ ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିବା ମନ୍ଦିରର ସମ୍ପାଦକ ଜଗବନ୍ଧୁ ସାମଲ ଜଣାଇଛନ୍ତି ।
ତେବେ ଆଦିବାସୀଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ମୁଖ୍ୟ ମନ୍ଦିରରେ ପୂଜା ପାଉଥିବା ବେଳେ ଏଠାରେ ଥିବା ମୁଖ୍ୟ ମନ୍ଦିର ବେଢ଼ା, ଭାରତ ଦର୍ଶନ ଓ ଉତ୍କଳ ଦର୍ଶନ ବେଢ଼ା ଭକ୍ତଙ୍କ ମଧ୍ୟରେ ଶ୍ରୀ ଜଗନ୍ନାଥଙ୍କ ଜଗତ ବ୍ୟାପି ଉପସ୍ଥିତିର ଭାବ ପ୍ରକାଶ କରିଥାଏ । ଏଠାରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଶ୍ରୀମନ୍ଦିର ମଧ୍ୟରେ ତିନି ଠାକୁରଙ୍କୁ ଦର୍ଶନ ଓ ପୂଜା କରିବା ସହ ଜଗନ୍ନାଥ ଚେତନାର ସ୍ପର୍ଶ ପାଇ ପୁଲ୍ଲକିତ ହୋଇଉଠନ୍ତି । ଏକ ଛୋଟ ଟିଣ ଛାତ ଘରୁ ଆରମ୍ଭ ହୋଇଥିବା ଏହି ମନ୍ଦିର ଆଜି ନିଜ କାୟା ବିସ୍ତାର କରି ବର୍ଣ୍ଣନା କରୁଛି ଅନେକ କାହାଣୀ ।
ଏଠାରେ ଦେଶ ତଥା ଦେଶ ବାହାରୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଏଠାରେ ଜମିଥାଏ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏଠାରେ ସମାନ ଏବଂ ଏଠାରେ ନାହିଁ କୌଣସି ବାଛ ବିଚାର । ପଣ୍ଡାଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଆଦିବାସୀ ପୂଜକ ମାନେ ମୁଖ୍ୟ ପୂଜା ସମ୍ପାଦିତ କରୁଥିବା ବେଳେ ମନ୍ଦିରର ମହାପ୍ରସାଦ ପ୍ରସ୍ତୁତି ଠାରୁ ଆରମ୍ଭ କରି ଆନନ୍ଦବଜାରକୁ ନୀତି ଆସୁଥିବା ହଜାର ହଜାର ଭକ୍ତଙ୍କ ସେବାର ଦାୟିତ୍ୱ ତୁଲାଇଥାନ୍ତି ।
ପ୍ରକାଶ ଥାଉକି, 1972 ମସିହାରେ ପିତା ପଣ୍ଡିତ ସଦାଶିବ ରଥଶର୍ମାଙ୍କ ସହିତ କୋରାପୁଟ ଆସିଥିବା ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ଆଜିବି ସେତେବେଳର ଅନୁଭୂତିକୁ ନେଇ ଭାବବିହ୍ଵଳ ହୋଇ ଉଠିଥିଲେ । ଡିଏଭି କଲେଜର ସଭାଗୃହରେ ତାଙ୍କ ପିତାଙ୍କ ଉପସ୍ଥିତିରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଏକ ଛୋଟ ଟିଣ ଘରେ ନିର୍ମାଣ କରାଯାଇଥିବା ମନ୍ଦିର ଆଜି ପ୍ରତିଷ୍ଠାର 50ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ଯେଉଁଭଳି ଏକ ବିରାଟ ଅନୁଷ୍ଠାନ ହୋଇ ଠିଆ ହୋଇପାରିଛି ତାହା ଦେଖି ସେ ଅଭିଭୂତ ହୋଇ ଉଠିଥିଲେ ।
ଶବର ବିଶ୍ବବିଶୁଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ଶବର ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଇ ଶାବର ଶ୍ରୀକ୍ଷେତ୍ର ଏ ସମଗ୍ର ଅଞ୍ଚଳରେ ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ପ୍ରସାର କରାଇବା ଦିଗରେ ଅଭୂତ ପୂର୍ବ କାର୍ଯ୍ୟ ସାଧନ କରିଛି ବୋଲି ପଣ୍ଡିତ ରଥଶର୍ମା ମତ ରଖିଛନ୍ତି । ତେବେ ଆସନ୍ତା ଏପ୍ରିଲ ମାସ 5 ତାରିଖ ଦିନ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ସ୍ୱତନ୍ତ୍ର ବୈଠକ ବସିବା ପରେ କାର୍ଯ୍ୟକ୍ରମର ବାସ୍ତବ ରୂପ ପ୍ରସ୍ତୁତ ହେବ ବୋଲି ସମ୍ପାଦକ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, କୋରାପୁଟ