କୋରାପୁଟ: ରାଜ୍ୟ ସରକାର କଳେବଳେ କୌଶଳେ ନାଲ୍କୋ ଓ ହିଣ୍ଡାଲକୋକୁ କୋରାପୁଟ ଜିଲ୍ଲାର ସେମିଳିଗୁଡା ଠାରୁ ପଟ୍ଟାଙ୍ଗୀ ପର୍ଯ୍ୟନ୍ତ ବ୍ୟାପି ରହିଥିବା ସେରୁବନ୍ଧ ଓ ମାଳି ପର୍ବତରେ ଖଣି ଖୋଲିବା ପାଇଁ ଅନୁମତି ପ୍ରଦାନ ନିମନ୍ତେ ମାତ୍ରାଧିକ ଆଗ୍ରହ ଦେଖାଉଛନ୍ତି । ଏହାଦ୍ୱାରା ହଜାର ହଜାର ସାଧାରଣ ଲୋକଙ୍କ ଜୀବନ ଜୀବିକା ନଷ୍ଟ ହୋଇଯାଉଛି ବୋଲି ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନର ସମ୍ପାଦକ ଦେବରଞ୍ଜନ ଅଭିଯୋଗ କରିଛନ୍ତି ।
ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଏହି ସଂଗଠନର ୭ ଜଣ ସଦସ୍ୟ ଗତ ଦୁଇଦିନ ଧରି ମାଳି ପର୍ବତ ଓ ସେରୁବନ୍ଧ ଅଞ୍ଚକରେ ଲୋକଙ୍କ ସହ ସାକ୍ଷାତ କରିଛନ୍ତି । ସରକାରଙ୍କ ଦ୍ୱାରା ସାଧାରଣ ଜନତାଙ୍କ ସ୍ଥିତି ଓ ଭବିଷ୍ୟତ ପ୍ରତି ଅଣଦେଖା କରାଯାଉଛି । ସରକାରଙ୍କ ଦ୍ବାରା ପ୍ରାୟୋଜିତ ଗ୍ରାମସଭା ମାଧ୍ୟମରେ ଖଣି ଗୁଡିକୁ କମ୍ପାନୀ ହାତରେ ଟେକିଦେବାର ପ୍ରୟାସକୁ ବିରୋଧ କରୁଥିବା ନିରୀହ ଆଦିବାସୀଙ୍କୁ ଗିରଫ କରାଯିବା ନିନ୍ଦନୀୟ ପଦକ୍ଷେପ ବୋଲି ସେ ପ୍ରକାଶ କରିଛନ୍ତି ।
କୋରାପୁଟ ଭଳି ପ୍ରକୃତି ଦତ୍ତ ସମ୍ପଦକୁ ଖଣି ଖୋଲିବା ନାଁରେ ନଷ୍ଟ କରିବା ଦ୍ୱାରା ମରୁଡି ଓ ବାତ୍ୟାରେ ଏହି ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେବେ ବୋଲି ସେ ଚେତାଇଦେଇଛନ୍ତି । କମ୍ପାନୀ ଗୁଡିକୁ ଲାଭ ପହଞ୍ଚାଇବା ପାଇଁ ସରକାର ଆଦିବାସୀ ଅଞ୍ଚଳର ନିୟମକୁ ମଧ୍ୟ ଖାତିର କରୁନଥିବା ଏହି ଟିମର ଏକ ସଦସ୍ୟ ଭାବେ ଅଞ୍ଚଳ ଗସ୍ତ କରିଥିବା କୋରାପୁଟର ବରିଷ୍ଠ ଆଇନଜୀବୀ ଗୁପ୍ତେଶ୍ଵର ପାଣିଗ୍ରାହୀ ମତ ରଖିଛନ୍ତି ।
ଲୋକଙ୍କ ଅଧିକାରକୁ ସାଧାରଣ ପ୍ରାଶାସନ ଓ ପୋଲିସ ନିଜର ସମସ୍ତ ବଳ ପ୍ରୟୋଗ କରି ଅଣଦେଖା କରିବା ଦ୍ୱାରା ଲୋକଙ୍କ ମଧ୍ୟରେ ଅସନ୍ତୋଷର ଅଗ୍ନି ଭରି ରହିଛି । ସରକାର ନିଜ ଆଭିମୁଖ୍ୟରେ ପରିବର୍ତନ ନଆଣି ପୁଣିଥରେ ଗ୍ରାମସଭା କରି ଆଦିବାସୀଙ୍କ ଜଳ, ଜମି ଓ ଜଙ୍ଗଲ ଉପରେ ଅଧିକାରକୁ ଛଡାଇ ନେବାର ପ୍ରୟାସ କଲେ ସମ୍ଭାବ୍ୟ ଜନ ଅଶାନ୍ତି ପାଇଁ ସରକାର ଦାୟୀ ରହିବେ ବୋଲି ପାଣିଗ୍ରାହୀ ଜଣାଇଛନ୍ତି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ