କୋରାପୁଟ: ଆସିଛି ଶୀତ ଋତୁ । ପହିଲି ଶୀତର ସ୍ପର୍ଶରେ ଖେଳି ଉଠିଛି ପ୍ରକୃତି ମା’ । ସୁନାର ଚାଦରରେ ଢାଙ୍କି ହେଲା ପରି ମନେ ହୁଏ କୋରାପୁଟର ପାହାଡ, ପର୍ବତ, ନଦୀନାଳ ଓ ରାସ୍ତାକଡର ଜମି ସବୁ । ହଳଦିଆ ରଙ୍ଗର ଫୁଲରେ ଭରିଯାଇଛି କ୍ଷେତ ସବୁ । ଅଳସି ଫୁଲର ସୁନ୍ଦରତାରେ ପୁରି ଉଠିଛି ପ୍ରକୃତିର ଗର୍ଭ ।
ଶୀତ ଋତୁ ଆସିଲେ କୋରାପୁଟ ସହରର ଏହି ପ୍ରକୃତିର ସୁନାବେଶ ଦେଖିବାକୁ ଜମେ ଲୋକଙ୍କ ଭିଡ । ଅଳସି ଫୁଲରେ ଭରା କ୍ଷେତରେ ଚାଲିଦେଲେ ମନରେ ଖେଳିଉଠେ ଶିହରଣ । ସେଥିରେ ପୁଣି ହାଲକା କୋହଲା ପବନରେ ନାଚି ଉଠୁଥିବା ଅଳସି ଫୁଲ ସହ ନାଚି ଉଠେ ମନ । ଦେଓମାଳିର ପାଦଦେଶରୁ କୋରାପୁଟ ସହରର କୋଣ ଅନୁକୋଣରେ ଫୁଟିଉଠେ ଅଳସି ଫୁଲର ସୁନ୍ଦରତା ।
ଏହା ନା ଯେ କେବଳ ପ୍ରକୃତିର ସୁନ୍ଦରତା ବଢାଏ ବରଂ ଏହା ଚାଷୀ ପେଟକୁ ବି ଦି ଓଳିର ଦାନା ଯୋଗାଇବାରେ ସହାୟକ ହୁଏ । ତେଣେ ଏହି ସୁନ୍ଦରତାକୁ ଥରେ ଯିଏ ଆଖିରେ ଦେଖିଛି ସେ ବାରମ୍ବାର ଏଠାକୁ ଆସିବାକୁ ମନ କରିଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ