କୋରାପୁଟ: ଦେଓମାଳି ଅଞ୍ଚଳରେ ଥିବା ବିଭିନ୍ନ ପାହାଡ଼, ପର୍ବତ, ଗାଁ ଗଣ୍ଡାରେ ଲାଗିବ ଲକ୍ଷାଧିକ ଔଷଧୀୟ ବୃକ୍ଷ ଓ ବର୍ଷା ସୃଷ୍ଟିକାରୀ ବୃକ୍ଷ । ଦେଓମାଳିର ଔଷଧୀୟ ସମ୍ପଦକୁ ପରଖୁଥିବା ଆଦିବାସୀ ଗବେଷକ ହରି ପାଙ୍ଗିଙ୍କ ନେତୃତ୍ୱରେ ଏହି ଅଞ୍ଚଳରେ ପାରମ୍ପରିକ ବୈଦ୍ୟ, ଯୁବପିଢିଙ୍କ ମାଧ୍ୟମରେ ଏହି କାର୍ଯ୍ୟ ସମ୍ପାଦିତ ହେବ । ସେମିଳିଗୁଡା ବ୍ଲକର ତେନ୍ତୁଳିଗୁଡା ଠାରେ ଥିବା ଗୁପ୍ତେଶ୍ଵର ଆୟୁର୍ବେଦିକ ବୃକ୍ଷ ଗବେଷଣା କେନ୍ଦ୍ରରେ ସ୍ୱତନ୍ତ୍ର ଜୈବିକ ପଦ୍ଧତିରେ ଗୁଳା ତିଆରି କରି ଜଙ୍ଗଲକୁ ଫିଙ୍ଗା ଯାଉଛି ।
ହରି ପାଙ୍ଗି ଆମେରିକାରେ ସରକାରଙ୍କ ଦ୍ବାରା ଆୟୋଜିତ ଇଣ୍ଟର୍ନେସନାଲ ଭିଜିଟର୍ସ ଲିଡ଼ରସିପ ଟ୍ରେନିଂ ପ୍ରୋଗ୍ରାମ ଅନ୍ତର୍ଗତ ଜଳବାୟୁ ପରିବର୍ତ୍ତନ ତଥା ଜୈବ ବିବିଧତା ବିଷୟରେ ଅନୁଷ୍ଠିତ ହେଉଥିବା ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଇଥିଲେ । ଏହି ଅଞ୍ଚଳର ପାରମ୍ପରିକ ଔଷଧୀୟ ବୃକ୍ଷ ଓ ତାର ଜଳବାୟୁ ଉପରେ ପ୍ରଭାବ ସମ୍ପର୍କରେ ସଫଳତାର ସହ ଉପସ୍ଥାପନ କରିବା ପରେ ସ୍ୱଗ୍ରାମକୁ ଫେରି ଆସିଛନ୍ତି । ଜଳବାୟୁ ପରିବର୍ତ୍ତନ ଓ ଜୈବ ବିବିଧତା ସମ୍ପର୍କରେ ଆମେରିକାରେ ଛୋଟ ପିଲାଙ୍କୁ ଅବଗତ କରାଇବା ପାଇଁ ବିଦ୍ୟାଳୟ ସ୍ତରରୁ ପାଠ୍ୟକ୍ରମରେ ଏହି ସମସ୍ତ ବିଷୟକୁ ସ୍ଥାନ ଦିଆଯାଇଛି । ହେଲେ ନିଜ ଅଞ୍ଚଳରେ ଥିବା ପ୍ରାକୃତିକ ସମ୍ପଦ, ଜୈବ ବିବିଧତା ଓ ବୃକ୍ଷଲତାର ଔଷଧୀୟ ଗୁଣ ସମ୍ପର୍କରେ ଛାତ୍ରଛାତ୍ରୀ ଅଜ୍ଞ ରହିଯାଉଛନ୍ତି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି ।
ସରକାରୀ ଓ ବେସରକାରୀ ସଂଗଠନ ଗୁଡିକର ଅକ୍ଲାନ୍ତ ଉଦ୍ୟମ ଓ ବଢୁଥିବା ଜନସଚେତନତାର ଫଳ ସ୍ୱରୂପ କୋରାପୁଟ ଜିଲ୍ଲାର ପାହାଡ଼ ପର୍ବତରେ ଜଙ୍ଗଲ ବଢ଼ିବାରେ ଲାଗିଛି । କିନ୍ତୁ ଜଙ୍ଗଲ ମଧ୍ୟରେ ବିଷଲ୍ୟକରଣୀ, ଗଙ୍ଗଶିଉଳି, କୋଚିଲା, ଗୁଡମାରି ଭଳି ପାରମ୍ପରିକ ଔଷଧୀୟ ଗୁଳ୍ମ ଓ ଅଶୋକ ଭଳି ଔଷଧୀୟ ବୃକ୍ଷର ଅଭାବ ଦେଖାଯାଇଥିବା ଯୋଗୁଁ ଏନେଇଲ ସେ ଚିନ୍ତା ପ୍ରକଟ କରିଛନ୍ତି । ତେଣୁ ଜୈବ ବିବିଧତାର ଗନ୍ତାଘର ଭାବରେ ପରିଚିତ ଦେଓମାଳି ଅଞ୍ଚଳରେ ଔଷଧୀୟ ବୃକ୍ଷ ତିଆରି ପାଇଁ ସେ ଉଦ୍ୟମ ଆରମ୍ଭ କରିଛନ୍ତି । ଗ୍ରାମବାସୀଙ୍କ ଦ୍ବାରା ବିହନ ଗୁଳା ବା ସିଡ ବଲ ମାଧ୍ୟମରେ ଏହି ସମସ୍ତ ଲୁପ୍ତପ୍ରାୟ ବୃକ୍ଷର ମଞ୍ଜିକୁ ଫିଙ୍ଗି ଦିଆଯାଉଛି । ଫଳରେ ଖାଲି ସ୍ଥାନ ଗୁଡ଼ିକରେ ଗଛ ଉଠି ପାରିବ ।
ଗବେଷକ ହରି ପାଙ୍ଗି କହିଛନ୍ତି, "ସେମିଳିଗୁଡା ବ୍ଲକର ତେନ୍ତୁଳିଗୁଡା ଠାରେ ଥିବା ଗୁପ୍ତେଶ୍ଵର ଆୟୁର୍ବେଦିକ ବୃକ୍ଷ ଗବେଷଣା କେନ୍ଦ୍ରରେ ସ୍ୱତନ୍ତ୍ର ବିହନ ଗୁଳା ପ୍ରସ୍ତୁତ କରାଯାଉଛି । ମାଟିରେ ଗୋମୂତ୍ର, ଗୋବର, କୋଇଲାକୁ ମିଶାଇ ତାକୁ ଛୋଟ ଛୋଟ ଗୁଳା ଭାବେ ତିଆରି କରି ସେଥିରେ ବିହନକୁ ରଖିବା ପରେ ଶୁଖାଇ ଦିଆଯାଉଛି । ଗୁଳାର ମାଟି ଅଂଶ ଶୁଖିଗଲା ପରେ ସେହି ଗୁଳାକୁ ପାହାଡ ପର୍ବତ, ବୁଦା ଜଙ୍ଗଲ ମଧ୍ୟକୁ ଫିଙ୍ଗି ଦିଆଯାଉଛି । ବର୍ଷା ପାଣି ପଡିବା ପରେ ଗୁଳା ମଧ୍ୟରେ ଥିବା ମଞ୍ଜି ବୃକ୍ଷ ହୋଇଉଠିବ ।"
ଇଟିଭି ଭାରତ, କୋରାପୁଟ