କୋରାପୁଟ: ପୋଲିସ ଗୁଳିରେ ନିହତ ହୋଇଥିବା ଦୁଇ ମାଓବାଦୀଙ୍କୁ ନେବାକୁ ଆସିଲେନି ପରିବାରବର୍ଗ । ଫଳରେ ମରଶରୀର ଦୁଇଟିକୁ କବର ଦେଲା ପୋଲିସ ।
ସୂଚନା ଅନୁଯାୟୀ, ଗତ ବୁଧବାର ଦିନ ନନ୍ଦପୁର ବ୍ଲକର ପାଡୁଆ ଥାନା ଅନ୍ତର୍ଗତ କିତୁଆ କାନ୍ତି ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିମାଡ ହୋଇଥିଲା । ସେଥିରେ 5 ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା । ତେବେ ଖବର ପାଇ ତିନି ଜଣ ମାଓବାଦୀଙ୍କ ମରଶରୀର ନେବାକୁ ପରିବାର ବର୍ଗ ଆସିଥିବାବେଳ ଦୁଇ ଜଣଙ୍କର କେହି ଆସିନଥିଲେ ।
ସାଥି ବାବୁ ଓରଫ ଦାସୁ ଏବଂ ତାର ଦ୍ଵିତୀୟ ପତ୍ନୀ ଲକ୍ଷ୍ମୀ ବିଡିକାଙ୍କ ମୃତଦେହକୁ କେହି ନ ନେବାରୁ ଆଜି (ବୁଧବାର) ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କୋରାପୁଟ ଶ୍ମଶାନରେ କବର ଦିଆଯାଇଛି । ଉଭୟଙ୍କ ପରିବାର ବର୍ଗଙ୍କ ସହ ବାରମ୍ବାର ସମ୍ପର୍କ ସ୍ଥାପନା କରିବା ପରେ ଲକ୍ଷ୍ମୀର ପରିବାର ଲୋକେ ଆସିବାର ସୂଚନା ଦେଇଥିଲେ ମଧ୍ୟ ନ ଆସିବା ଯୋଗୁଁ ନିୟମ ଅନୁଯାୟୀ କିଛିଦିନ ଅପେକ୍ଷା କରି ଆଜି ସେମାନଙ୍କ ମୃତଦେହର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା କୋରାପୁଟ ଏସଡିପିଓ ଜଣାଇଛନ୍ତି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ