କୋରାପୁଟ: ଦୁଇ ଠିକାଦାରଙ୍କ ବିବାଦରେ କୋଟିଆର ବିକାଶ ବାଧାପ୍ରାପ୍ତ । ଆନ୍ଧ୍ର ଓଡିଶା ସୀମାନ୍ତରେ କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଟିଆ ପଞ୍ଚାୟତରେ ଚାଲିଛି ବିକାଶର କାର୍ଯ୍ୟ । ମାତ୍ର ଦୁଇ ଠିକାଦାରଙ୍କ ବ୍ୟକ୍ତିଗତ ବିବାଦ ନେଇ କୋଟିଆର ବିକାଶ ବାଧାପ୍ରାପ୍ତ ହେଉଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।
ସୂଚନା ଅନୁଯାୟୀ, କୋଟିଆରୁ ମାଡ଼କାର ଦେଇ ଫଗୁଣସିନେରୀ ପର୍ଯ୍ୟନ୍ତ ରାସ୍ତା କାମ ଅଧାରୁ ଅଧିକ ସରିଥିବା ବେଳେ ରାସ୍ତା କାମରେ ହେଉଥିବା ବିଳମ୍ବକୁ ନେଇ ଅନେକ ସମୟରେ ଅସନ୍ତୋଷ ପ୍ରକାଶ ପାଇଛି ।
କିନ୍ତୁ ଏହି ସମସ୍ୟାକୁ ବହୁଗୁଣିତ କରିଛି ଓଡିଶା ସୀମା ମଧ୍ୟରେ ଏହି ରାସ୍ତା କାମ କରୁଥିବା କାକିରିଗୁମ୍ମାର ଠିକାଦାର ବିଷ୍ଣୁ ଚରଣ ବିଶୋଇ ଓ ଏହି ରାସ୍ତାର ଆନ୍ଧ୍ରପ୍ରଦେଶ ସୀମାରେ କାର୍ଯ୍ୟ କରୁଥିବା ବନ୍ଧୁଗାଁର ଠିକାଦାର ମନୋଜ ନାୟକଙ୍କ ମଧ୍ୟରେ ମୁଣ୍ଡଟେକିଥିବା ବିବାଦ ।
ବିଷ୍ଣୁଙ୍କ କହିବା ଅନୁଯାୟୀ, ମନୋଜ ଆନ୍ଧ୍ରପ୍ରଦେଶ ପଟେ ଥିବା ଅଂଶରେ ରାସ୍ତା କାଟି ଦେଇଥିବା ଯୋଗୁଁ କୋଟିଆ ଠାରୁ ଫଗୁଣସିନେରୀ ପର୍ଯ୍ୟନ୍ତ ଓଡିଶା ସରକାରଙ୍କ ଦ୍ବାରା ଚାଲିଥିବା ରାସ୍ତାକାମ ପାଇଁ ଆବଶ୍ୟକ ହେଉଥିବା ଜିନିଷ ପହଞ୍ଚି ପାରୁନାହିଁ ।
ତେବେ ଏନେଇ ବିଶୋଇ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଓ ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଉଚିତ ପଦକ୍ଷେପ ନିଆଯାଇ ସମସ୍ୟାର ସମାଧାନ କରାନଗଲେ ରାସ୍ତା କାମକୁ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ସେ ଜଣାଇଛନ୍ତି ।
ତେବେ ଏହି ବିଷୟଟିକୁ ତର୍ଜମା କରିବା ସହ ଉପଯୁକ୍ତ ସମାଧାନ କରାଯିବ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ଜଣାଇଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ