କୋରାପୁଟ: ଗଛରେ ଝୁଲୁଛି ମାଳ ମାଳ ପଣସ । ଦେଖିଲେ ଲୋଭ ଆସିଯାଉଛି । ସାଧାରଣତଃ ପଣସକୁ କଞ୍ଚାବେଳେ କଠା କଷା ଓ ପିଠଉ କରି ଖାଇଥାନ୍ତି । ହେଲେ ଆପଣ କେବେ ପଣସ ଚିପ୍ସ ତିଆରି କରି ଖାଇଛନ୍ତି କି ? ଚିପ୍ସ କହିଲେ ସାଧାରଣତଃ ଆମ ମନରେ ଆଳୁ, ସାରୁ, କଦଳୀ ଓ କଲରା କଥା ଆସିଥାଏ । ହେଲେ କୋରାପୁଟ ବ୍ଲକର ସ୍ବଂୟ ସହାୟକ ଗୋଷ୍ଠୀ ଏବେ ପଣସରୁ ଚିପ୍ସ କରି ଚର୍ଚ୍ଚାରେ ରହିଛନ୍ତି । ପୁଣି ବିନା କେମିକାଲରେ ସ୍ବାଦିଷ୍ଟ ଚିପ୍ସ । ବଜାରରେ ଏହାର ଚାହିଦା ମଧ୍ୟ ବେଶ ଅଧିକ ରହିଥିବା ବେଳେ ମୂଲ୍ୟ ବି କମ ରହିଛି ।
କୋରାପୁଟରେ 1000 ମେଟ୍ରିକ ଟନ ପଣସ ଉତ୍ପାଦନ ହେଉଥିବାବେଳେ ଏହାର ବିକ୍ରୟ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ପ୍ରଶାସନ ତରଫରୁ ବିଭିନ୍ନ ପ୍ରକାର ଯୋଜନା ହାତକୁ ନିଆଯାଇଛି । ଯାହା ଆଦିବାସୀ ଜନଜାତିଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ କରିବାରେ ସହାୟ ହେବ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ