କୋରାପୁଟ: ଖଗଦରାର ସେ ଦଶମ ପର୍ଯ୍ୟନ୍ତ ପାଠ ପଢିଥିବା ପ୍ରଥମ ଝିଅ ଓ ପ୍ରଥମ ମହିଳା ୱାର୍ଡ ମେମ୍ବର । ନାଁ ତାଙ୍କ ଲଳିତା ଖିଲ, ଗାଁରେ ସମସ୍ତଙ୍କ ପାଇଁ ଆଶାର ଆଲୋକ । କାହାକୁ ଡାକ୍ତରଖାନା ନେବାକୁ ହେବ, କାହାର ଭତ୍ତା ପଇସା ପାଇବାରେ ଅସୁବିଧା ହେଉଛି , ଗାଁରେ ଜଳାଭାବ ଦେଖା ଦେଇଛି ତ ଗାଁକୁ ରାସ୍ତାଟିଏ ନାହିଁ, ସବୁଠିକୁ ଲଳିତାଙ୍କୁ ଡାକରା । ସବୁଠି ସେ ଅଣ୍ଟାଭିଡ଼ି ଆଗକୁ ଆସିଛନ୍ତି , ନେତୃତ୍ୱ ନେଇଛନ୍ତି ଓ ଯଥା ସମ୍ଭବ ସମସ୍ୟାର ସମାଧାନ ଖୋଜିବାରେ ସହାୟକ ହୋଇଛନ୍ତି । ଏବେ ସମସ୍ତେ ତାଙ୍କରି ଆଡକୁ ଅନାଇରହିଛନ୍ତି ଜମି ପଟ୍ଟାଟିଏ ପାଇବା ପାଇଁ । ଲଳିତା ମଧ୍ୟ ଏ ଦିଗରେ ପ୍ରାଥମିକତା ଦେଇଛନ୍ତି ।
ଖଗଦରା ଗାଁରେ 23 ଟି ପରିବାର । କାହାରି ପାଖରେ ଇଞ୍ଚେ ଜମିର ପଟ୍ଟା ନାହିଁ । ସେ ସରକାରଙ୍କ ଆବାସ ଯୋଜନା ହେଉ ବା ଘର ଭାଙ୍ଗିଯିବା ପରର ପ୍ରଶାସନିକ ସହାୟତା , ସବୁଠାରୁ ମାଇଲ ମାଇଲ ଦୂରରେ କୋରାପୁଟ ବ୍ଲକର ଖଗଦରା ଗାଁ । ଗତ ତିରିଶ ବର୍ଷ ପୂର୍ବେ କୋଲାବ ଜଳଭଣ୍ଡାରରେ ବିଲୀନ ହୋଇଯାଇଥିଲା କୋରାପୁଟ ବ୍ଲକର ଏହି ଗାଁ । ତେବେ ସରକାରଙ୍କ ଥଇଥାନରେ ଅସନ୍ତୁଷ୍ଟ ପରିବାର ଭିଟାମାଟିକୁ କାମୁଡି ପଡିରହିବାକୁ ଶ୍ରେୟ ମଣିଲେ । ଜଳଭଣ୍ଡାରର ଉପରମୁଣ୍ଡକୁ ଘୁଞ୍ଚି ଆସି ପାହାଡ଼ର ପାଦଦେଶରେ ଖଗଦରା ଗାଁର ପୁନଃନିର୍ମାଣ କରିଥିଲେ ସେ ସମୟର ଗାଁ ବଡ ମାନେ । ଗାଁ ବସିଥିବା ଜାଗାର ମାଲିକ ଭୁକ୍ତା ମୂଲିଆ ଗ୍ରାମବାସୀଙ୍କୁ ତାଙ୍କ ଜାଗାରେ ବସବାସ କରିବା ପାଇଁ ମୌଖିକ ରୂପେ ଅନୁମତି ଦେଇଥିଲେ ।
ବର୍ତ୍ତମାନ ତାଙ୍କ ପୁଅ ଗଣପତି ଗ୍ରାମବାସୀଙ୍କୁ ନିଜ ନିଜ ଘରବାଡି ପାଇଁ ପଟ୍ଟା କରିବା ପାଇଁ ବାରମ୍ବାର କହି ଆସୁଛନ୍ତି । କିନ୍ତୁ ଗ୍ରାମବାସୀଙ୍କ ପାଖରେ ଏ ଦିଗରେ ଆଗକୁ ଯିବା ପାଇଁ , ପଟ୍ଟା ପାଇବାର ପ୍ରକ୍ରିୟାକୁ ତ୍ବରାନ୍ବିତ କରାଇବା ପାଇଁ ନା ଆର୍ଥିକ ସମ୍ବଳ ଅଛି ନା ନେତୃତ୍ବର । ତେଣୁ ଗତ ତିରିଶ ବର୍ଷ ଧରି ଭାଗ୍ୟକୁ ଆଦରି ପଡିରହିଥିଲେ ଏବି ଗ୍ରାମବାସୀ । ବର୍ଷା ପବନରେ ଲଛମା ଖରାଙ୍କ ଭଳି ମହିଳାଙ୍କ କୁଡ଼ିଆ ଘର ଭାଙ୍ଗି ଯାଇଥିଲେବି ଘରର ପଟ୍ଟା ନଥିବା ଯୋଗୁଁ ସରକାରୀ ସାହାଯ୍ୟ ମିଳିପାରିନାହିଁ । ଏପରି ଅନେକ ସମସ୍ୟା ଦେଇ ଖଗଦରା ଗାଁ ରେ ଦିନ ଗଡିଚାଲିଛି । କିନ୍ତୁ ବର୍ତମାନ ସେମାନଙ୍କ ପାଖରେ ଲଳିତା ଅଛନ୍ତି । ଏବେ ସମସ୍ତଙ୍କ ମୁଖରେ ନୂତନ ଆନନ୍ଦ ଖେଳିଯାଇଛି । ତାଙ୍କରି ପ୍ରୟାସକୁ ଦେଖି ସହଯୋଗର ହାତ ବଢ଼ାଇଛନ୍ତି କୋରାପୁଟର ସ୍ବେଚ୍ଛାସେବୀ ସଂଗଠନ ଶୋଭା । ଗାଁର ପ୍ରତ୍ୟେକ ପରିବାର ଯେପରି ତାଙ୍କ ଘରବାଡିପାଇଁ ପଟ୍ଟା ପାଇପାରିବେ ସେଦିଗରେ ଲଳିତାଙ୍କ ପ୍ରୟାସକୁ ଶକ୍ତି ପ୍ରଦାନ କରିଛି ଏହି ସଂସ୍ଥା ।
ନିଜ ଘର, ନିଜ ପଟ୍ଟା ପାଇବାର ଆଶା ଉଜ୍ଜ୍ୱଳ ହେଉଥିବା ଦେଖି ଗ୍ରାମବାସୀ ଲଳିତାଙ୍କ ନେତୃତ୍ୱ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଗକୁ ଆହୁରି ଅନେକ ସମସ୍ୟାର ସମାଧାନ କରିବା ପାଇଁ ଗ୍ରାମବାସୀ ମଧ୍ୟ ଲଳିତାଙ୍କ ହାତମୁଠାକୁ ଟାଣ କରିବା ପାଇଁ ସଂକଳ୍ପବଦ୍ଧ ।
କୋରାପୁଟରୁ ସିଏଚ୍ ଶାନ୍ତାକାରଙ୍କ ରିପୋର୍ଟ, ଇଟିଭି ଭାରତ