କୋରାପୁଟ: କୋଟିଆ ବିବାଦ ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶ ସତ୍ୟପାଠର ପ୍ରତିଜବାବ ରଖିବାକୁ ଓଡିଶାକୁ 4 ସପ୍ତାହ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ । ଏନେଇ କୋରାପୁଟର ପୂର୍ବତନ ଜିଲ୍ଲାପାଳ ତଥା 'ଆମ କୋଟିଆ'ର ଆବାହକ ଗଦାଧର ପରିଡା ପ୍ରତିକ୍ରିୟା ରଖିଛନ୍ତି । ସୁପ୍ରିମକୋର୍ଟଙ୍କ ପ୍ରଦତ୍ତ ଅବଧି ମଧ୍ୟରେ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ସଞ୍ଜୀବ ହୋତା ଓ ଶ୍ରୀନିବାସ ରଥଙ୍କ ଭଳି କୋରାପୁଟର କିଛି ଅଭିଜ୍ଞ ପୂର୍ବତନ ଜିଲ୍ଲାପାଳଙ୍କ ସହ ଚର୍ଚ୍ଚା କରିବା ସହ ରାଜ୍ୟର ବିଭିନ୍ନ ବ୍ୟକ୍ତିଙ୍କ ପାଖରେ ଥିବା ତଥ୍ୟ ଓ ଦସ୍ତାବିଜକୁ ଏକାଠି କରିବା ଆବଶ୍ୟକ ବୋଲି ଗଦାଧର ପରିଡା ମତବ୍ୟକ୍ତ କରିଛନ୍ତି ।
ଏଥିସହ କୋଟିଆ ଅଞ୍ଚଳର ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ ଯୋଜାନ ପ୍ରସ୍ତୁତ କରିବା ଆବଶ୍ୟକ । କୋଟିଆ ଲଢେଇ କେବଳ ସରକାରଙ୍କ ନୁହେଁ ବରଂ ରାଜନୈତିକ ନେତା, ସାମାଜିକ କର୍ମୀ ଏବଂ ପ୍ରତିଟି ଓଡି଼ଶାବାସୀଙ୍କ ସାମୁହିକ ଲଢେଇ ହୋଇଥିବା ଯୋଗୁଁ ସରକାର ସମସ୍ତଙ୍କ ସହଯୋଗ ନେବାରେ କୁଣ୍ଠାବୋଧ ନ କରିବା ପାଇଁ କୋଟାପୁଟର ପୂର୍ବତନ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।
ଆନ୍ଧ୍ରପ୍ରଦେଶ ଅଦାଲତ ଅବମାନନା କରିଥିବା ଅଭିଯୋଗରେ ସୁପ୍ରିମକୋର୍ଟ ଯାଇଥିଲା ଓଡି଼ଶା । ଯାହାର ଶୁଣାଣି କରି ଆନ୍ଧ୍ରକୁ ଜବାବ ଦାଖଲ କରିବାକୁ କହିଥିଲେ ସୁପ୍ରିମକୋର୍ଟ । ତେବେ ଆନ୍ଧ୍ର ଜବାବ ଦାଖଲ କରିଥିବାବେଳେ ଶୁକ୍ରବାର ଏହାର ଶୁଣାଣି କରି ଓଡି଼ଶାକୁ ପ୍ରତିଜବାବ ଦେବାକୁ 4 ସପ୍ତାହ ସମୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ