କୋରାପୁଟ: ଶିଶୁଙ୍କ ମଧ୍ୟରେ ଅପପୃଷ୍ଟି ନିୟନ୍ତ୍ରଣ ପାଇଁ କୋରାପୁଟ ଜିଲ୍ଲାରେ ବହୁବିଧ ପ୍ରଚେଷ୍ଟା ଚାଲିଛି । ଏନେଇ କିଛି କ୍ଷେତ୍ରରେ ସଫଳତା ମଧ୍ୟ ହାସଲ ହୋଇଛି । ସେ ବିଦ୍ୟାଳୟ ହେଉ ବା ଅଙ୍ଗନବାଡି କେନ୍ଦ୍ର , ସବୁଠାରେ ଅପପୃଷ୍ଟି ଶିଶୁଙ୍କୁ ଅଙ୍ଗନବାଡି କର୍ମୀ ଓ ଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସେମାନଙ୍କ ଉପଯୋଗୀ ଖାଦ୍ୟ ତଥା ଔଷଧ ଦିଆଯାଇ ଅନେକ ଶିଶୁଙ୍କୁ ଅପପୃଷ୍ଟିର ସ୍ଥିତିରୁ ସାଧାରଣ ସ୍ଥିତିକୁ ଅଣାଯାଇପାରିଛି ବୋଲି କୋରାପୁଟ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ବିଦ୍ୟୁଲତା ପାତ୍ର ଜଣାଇଛନ୍ତି ।
ତେବେ ଜିଲ୍ଲାରେ ଥିବା 3397 ଅଙ୍ଗନବାଡି କେନ୍ଦ୍ରରେ 1,53,830 ଶିଶୁଙ୍କୁ ଛତୁଆ , ବାଦାମ ଲଡୁ ତଥା ଗରମ ରନ୍ଧା ଖାଦ୍ୟ ଦିଆଯାଉଛି । ଏଥି ସହିତ ସରକାରଙ୍କ ସ୍ୱତନ୍ତ୍ର ଯୋଜନା ଅନୁଯାୟୀ ଅଙ୍ଗନବାଡି କେନ୍ଦ୍ର ରେ ନ୍ୟୁଟ୍ରି ଗାର୍ଡେନ ପ୍ରସ୍ତୁତି କରାଯାଇ ଶିଶୁ ଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ ପ୍ରଚେଷ୍ଟା କରାଯାଉଥିବା ପାତ୍ର ସୂଚନା ଦେଇଛନ୍ତି । ଅଙ୍ଗନବାଡି କେନ୍ଦ୍ର ଭଳି ସରକାରୀ ବିଦ୍ୟାଳୟ ରେ ମଧ୍ୟ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଦେବା ସହିତ ବ୍ୟାପକ ସ୍ତରରେ ନ୍ୟୁଟ୍ରି ଗାର୍ଡେନ କରାଯାଇଛି । କୋରାପୁଟ ବ୍ଲକ ଅନ୍ତର୍ଗତ ମହାଦେଇପୁଟ ଆବାସିକ ଉଚ୍ଚ ବିଦ୍ୟାଳୟ ର ମଧ୍ୟାହ୍ନ ଭୋଜନ ରେ ସପ୍ତାହରେ ପାଞ୍ଚ ଥର ଅଣ୍ଡା ଦିଆଯାଉଥିବା ବେଳେ ବିଦ୍ୟାଳୟ ପରିସର ମଧ୍ୟରେ 15 ପ୍ରକାରର ବିଭିନ୍ନ ପନିପରିବା ଚାଷ କରାଯାଇ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ରଥ ଜଣାଇଛନ୍ତି ।
ତେବେ କୋରାପୁଟ ଅଞ୍ଚଳର ତଲଗୁମାଣ୍ଡି ଓ କାଣ୍ଟି ଭଳି ପଞ୍ଚାୟତ ର ପାହାଡ଼ ପର୍ବତରେ ବାସ କରୁଥିବା ଆର୍ଥିକ ରୂପେ ଅନଗ୍ରସର ଥିବା ପରିବାରର ଶିଶୁ ଙ୍କ ମଧ୍ୟରେ ଅଧିକ ପୁଷ୍ଟିସାରର ଆବଶ୍ୟକତାକୁ ଆଖିରେ ରଖି କୋରାପୁଟ ଫାର୍ମର୍ସ ଆସୋସିଏସନ (କେଏଫଏ ) ତରଫରୁ ତଲଗୁମାଣ୍ଡି ପଞ୍ଚାୟତ ର ପାଞ୍ଚଟି ଅଙ୍ଗନବାଡି କେନ୍ଦ୍ରରେ ଅତିରିକ୍ତ ଖାଦ୍ୟ ଯୋଗାଇ ଦିଆଯାଉଛି । ଆମେରିକାର ଜୀବଦୟା ଫାଉଣ୍ଡେସନ ର ସହାୟତାରେ ଏହି ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ସମସ୍ତ ଶିଶୁଙ୍କୁ ଅଙ୍ଗନବାଡ଼ି ତରଫରୁ ଦିଆଯାଉଥିବା ସମସ୍ତ ଖାଦ୍ୟ ସହ ସକାଳେ ଦୁଗ୍ଧ ଓ ବିସ୍କୁଟ ଦିଆଯାଉଥିବା କେଏଫଏର ସମ୍ପାଦକ ଶରତ ପଟ୍ଟନାୟକ ଜଣାଇଛନ୍ତି ।
ସେପଟେ ପୁଷ୍ଟିକର ଖାଦ୍ୟ ସହ ପିଲା ଓ ଅଭିଭାବକଙ୍କ ମଧ୍ୟରେ ଅଙ୍ଗନବାଡି କେନ୍ଦ୍ର ପ୍ରତି ଆକର୍ଷଣ ସୃଷ୍ଟି କରିବା ପାଇଁ ସଂସ୍ଥା ତରଫରୁ ପିଲାଙ୍କୁ ୟୁନିଫର୍ମ ଓ ଜୋତା ମଧ୍ୟ ଦିଆଯାଉଛି । ଏହା ଫଳରେ ପିଲାଙ୍କ ମଧ୍ୟରେ ଅଙ୍ଗନବାଡି ଓ ବିଦ୍ୟାଳୟ କୁ ଆସିବା ପାଇଁ ଆଗ୍ରହ ଵୃଦ୍ଧି ପାଇଥିବା ବାରି ଗ୍ରାମରେ ତାଙ୍କ ଝିଅ କୁ ଅଙ୍ଗନବାଡି ପଠାଉଥିବା ମହିଳା ଵିଷ୍ଣୁପ୍ରିୟା ମାଣ୍ଡିଙ୍ଗି ଜଣାଇଛନ୍ତି । ଏହି ପ୍ରକ୍ରିୟା ର ସଫଳତାକୁ ଆକଳନ କରି ଭବିଷ୍ୟତରେ ଅଧିକ ପଞ୍ଚାୟତରେ ଶିଶୁଙ୍କୁ ଏପରି ସୁବିଧା ଯୋଗାଇ ଦେବା ପାଇଁ ପ୍ରଚେଷ୍ଟା କରାଯିବ ବୋଲି ପଟ୍ଟନାୟକ ଜଣାଇଛନ୍ତି ।
ଇଟିଭି ଭାରତ, କୋରାପୁଟ