କୋରାପୁଟ: କେନ୍ଦ୍ର ସରକାରଙ୍କ ଦ୍ବାରା ଅଣାଯାଇଥିବା କୃଷକ ନୀତିକୁ ବିରୋଧ କରି ଦେଶ ସାରା ଆଜି କୃଷକ ସଙ୍ଗଠନ, କଂଗ୍ରେସ, ବାମପନ୍ଥୀ ଦଳ ତଥା ଅନ୍ୟାନ୍ୟ ରାଜନୈତିକ ଦଳ ଦ୍ୱାରା ଭାରତ ବନ୍ଦ ଡାକରା ଦିଆଯାଇଛି ।
କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ନୀତିକୁ ପ୍ରତିବାଦ କରି କୋରାପୁଟ ଜିଲ୍ଲାରେ କଂଗ୍ରେସ ସମର୍ଥନ କରିଥିବା ଏହି ଆନ୍ଦୋଳନ ପଞ୍ଚାୟତ ସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ ସଫଳ ହୋଇଥିବା ଦଳର ଜିଲ୍ଲା ସଭାପତି କହୁଥିବା ବେଳେ ବିଜେପି ଭିନ୍ନମତ ପ୍ରକାଶ କରିଛି । ଏହି ଦୁଇ ରାଜନୈତିକ ଦଳର କଥା କଟାକଟି ମଧ୍ୟରେ ଚାଷୀ କିନ୍ତୁ ଏହି ଆନ୍ଦୋଳନ ସମ୍ପର୍କରେ ଜାଣିନଥିବା ପ୍ରକାଶ କରିଛନ୍ତି ।
କୋରାପୁଟ ସହରଠାରୁ ପାଞ୍ଚ କିଲୋମିଟର ଦୂରବର୍ତୀ ଉମୁରି ଗ୍ରାମର ଯୁବ ଚାଷୀ ଦୁର୍ଜ ମାଳି ପାଇଁ ଧାନ କିଣିବା ପାଇଁ ଗାଁକୁ ଆସୁଥିବା ବ୍ୟବସାୟୀ ହିଁ ସରକାର ଓ ସେ ଦେଉଥିବା ମୂଲ୍ୟ ହିଁ ସରକାରଙ୍କ ଘୋଷିତ ସର୍ବ ନିମ୍ନ ସମର୍ଥନ ମୂଲ୍ୟ । ଛୋଟ ଛୋଟ ଚାଷୀଙ୍କ ପାଇଁ ମଣ୍ଡିକୁ ଯାଇ ଧାନ ବିକିବା ସମ୍ଭବ ହେଉନଥିବା ଦୁର୍ଜ ଜଣାଇଛନ୍ତି । କ୍ଷୁଦ୍ର ଓ ନାମମାତ୍ର ଚାଷୀର ନିକଟରେ ମଣ୍ଡି ଖୋଲାଯାଇପାରିଲେ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଏମ୍ଏସପି ସେମାନଙ୍କ ପାଇଁ ଅର୍ଥପୂର୍ଣ୍ଣ ହୋଇପାରନ୍ତା ବୋଲି ସେ ମତ ରଖିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ