କୋରାପୁଟ: ବାଇପାସ ରାସ୍ତା ପାଇଁ ଆଶା ଉଜ୍ଜଳ । ଖୁବଶୀଘ୍ର ଆରମ୍ଭ ହେବ କୋରାପୁଟ ବାଇପାସ ରାସ୍ତା କାର୍ଯ୍ୟ । ପଡ଼ିରହିଥିବା ଅଧାପନ୍ତରିଆ କାମକୁ ନୂଆ ରୂପ ଦେବାକୁ ପ୍ରୟାସ ଆରମ୍ଭ ହୋଇଛି । କେନ୍ଦ୍ର ଜାତୀୟ ରାଜପଥ ସଡ଼କ ମନ୍ତ୍ରଣାଳୟରୁ କୋରାପୁଟ ବାଇପାସ ନିମନ୍ତେ ପୁଣିଥରେ ଯୋଜନା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଆସିଥିବା ଜାତୀୟ ରାଜପଥ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୌମର୍ଦିନି ସେଠୀ ସୂଚନା ଦେଇଛନ୍ତି ।
କୋରାପୁଟ ସହର ମଧ୍ୟଦେଇ ଯାଇଥିବା ଜାତୀୟ ରାଜପଥରେ ଗାଡିମଟର ଚଳାଚଳରେ ସୁବିଧା ଆଣିବା ପାଇଁ ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟ ରେଳବାଇ କର୍ତ୍ତୃପକ୍ଷଙ୍କ ଅସହଯୋଗ ଯୋଗୁଁ ବାରମ୍ବାର ଅଧାରେ ଅଟକିଥିଲା । ନିକଟରେ ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବଙ୍କ ହସ୍ତକ୍ଷେପ ଫଳରେ ରେଳବାଇ କର୍ତ୍ତୃପକ୍ଷ ଆବଶ୍ୟକ ପରିମାଣର ସ୍ଥାନ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ଛାଡ଼ିବା ନିମନ୍ତେ ସମ୍ମତି ପ୍ରଦାନ କରିଥିଲେ । ଏହାପରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ବାଧାପ୍ରାପ୍ତ ହୋଇଥିବା ପ୍ରକଳ୍ପର ଯୋଜନାକୁ ପୁଣିଥରେ ନୂଆ ରୂପ ଦେବାରେ ପ୍ରୟାସ ଆରମ୍ଭ କରିଛନ୍ତି ।
ବିଭାଗ ତରଫରୁ ରେଳବାଇ ଖେଳ ପଡ଼ିଆ ବାଟଦେଇ 3.8 କିଲୋମିଟର ପ୍ରସ୍ତାବିତ ବାଇପାସ୍ ରାସ୍ତା ନିମନ୍ତେ 75 କୋଟି ଟଙ୍କାର ଏକ ପ୍ରସ୍ତାବ କେନ୍ଦ୍ରକୁ ପଠାଯାଇଥିବା ସୂଚନା ଦିଆଯାଇଛି । ଏ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ, ଜାତୀୟ ରାଜପଥ ବିଭାଗ ଅଧିକାରୀ ଓ ରେଳବାଇର କିଛି ବରିଷ୍ଠ ଅଧିକାରୀ କଲେଜ ଛକ, ରେଳବାଇ ପଡିଆ , ଷ୍ଟାଡିୟମ ପାଖଦେଇ ଜୟପୁର ରୋଡ଼କୁ ସଂଯୋଗ କରୁଥିବା ପ୍ରସ୍ତାବିତ ବାଇପାସ ରାସ୍ତାର ସମସ୍ତ ଦିଗକୁ ପରଖିଥିବା ସୌଦାମିନୀ ସେଠୀ ଜଣାଇଛନ୍ତି । ତେବେ ବାରମ୍ବାର ଘୁଞ୍ଚି ଚାଲିଥିବା ବାଇପାସ୍ ପ୍ରକଳ୍ପ ଏଥର ଯେପରି ବାସ୍ତବ ରୂପ ଧାରଣ କରିବ ସେ ଦିଗରେ ବିଶେଷ ଦୃଷ୍ଟି ଦେବେ ବୋଲି କୋରାପୁଟ ସାଂସଦ ସପ୍ତଗିରି ଉଲାକା କହିଛନ୍ତି ।
ଇଟିଭି ଭାରତ, କୋରାପୁଟ