କୋରାପୁଟ: ଆୟୋଜିତ ହୋଇଯାଇଛି ଜୟପୁରର ପଥୋତ୍ସବ। ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ଜନ ସମୁଦ୍ରରେ ଭାସୁଛି ଜୟପୁର ସହର । ସହରର ବଡଦାଣ୍ଡ ଯେଉଁଠି ପ୍ରତିଦିନ ହଜାର ହଜାର ଲୋକ ଯାତାୟତ କରନ୍ତି,ସେହି ପଥରେ ଆଜି ଜୟପୁରର ଆବାଳ ବୃଦ୍ଧ ବନିତା ଏକତ୍ରିତ ହୋଇଛନ୍ତି।
ପଥୋତ୍ସବ ପାଇଁ ସମସ୍ତେ ପରସ୍ପର ଭିତରେ ନାଚି ଖେଳି, କଥାବାର୍ତ୍ତା, ଚିତ୍ର ଆଙ୍କିବା ସହ ପରିବେଶ ସୁରକ୍ଷାର ବାର୍ତ୍ତାକୁ ବାଣ୍ଟି ସାଥି ହୋଇ ଚାଲିବାର ମଜ୍ଜା ନେଇଛନ୍ତି । ରାଜ୍ୟ ସ୍ତରୀୟ ଆଦିବାସୀ ମହୋତ୍ସବ ପରବର ଏକ ଅଭିନ୍ନ ଅଙ୍ଗ ହୋଇଉଠିଥିବା ପଥୋତ୍ସବରେ ସାମିଲ ହୋଇଥଲେ କଳାକାର, କ୍ରୀଡ଼ାବିତ,ରାଜନେତା,ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଗଣିତ ଦେଖଣାହାରୀ।
ସକାଳ ପହରରୁ ରାହାଗିରି ତଥା ପଥୋତ୍ସବକୁ ନେଇ ଚଳଚଞ୍ଚଳ ହୋଇଉଠିଥିଲା ଜୟପୁର ସହରର ମୁଖ୍ୟ ରାସ୍ତା । ତୃତୀୟ ଥର ପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ରାହାଗିରି ଉତ୍ସବ ଆୟୋଜିତ କରାଯାଇଥିବା ବେଳେ ଏଥିରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରିଛନ୍ତି ।
ଆଦିବାସୀ କଳା ସଂସ୍କୃତି ପରମ୍ପରା ସାଙ୍ଗକୁ ଆଧୁନିକତାର ଛାପରେ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା । ଅନେକ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନର ଏହି ନିଆରା ପ୍ରୟାସକୁ ସମସ୍ତେ ଆନନ୍ଦଭରି ଉପଭୋଗ କରିଛନ୍ତି।
କୋରାପୁଟରୁ ସି.ଏଚ ଶାନ୍ତାକାର,ଇଟିଭି ଭାରତ