କୋରାପୁଟ: ଗାଁରେ ଶ୍ରମିକ ଓ ସହରରେ କାମ ପରସ୍ପରକୁ ଅପେକ୍ଷା କରିଛନ୍ତି । କିନ୍ତୁ ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ସ୍ଥିତି ବଦଳୁ ନାହିଁ । ଦ୍ବିତୀୟ ଲକ୍ଡାଉନ୍ ପରେ ସରକାର ଶ୍ରମିକମାନଙ୍କ କର୍ମକ୍ଷେତ୍ରକୁ ଯିବା ପାଇଁ କୌଣସି କଟକଣା ଲଗାଇ ନଥିଲେ ମଧ୍ୟ ସାମାଜିକ ଦୂରତା କାଳ ସାଜିଛି । ଫଳରେ କର୍ମକ୍ଷେତ୍ରରେ ମାତ୍ର ହାତଗଣତି ଶ୍ରମିକ କାମ କରୁଥିବା ଦେଖିବାକୁ ମିଳୁଛି ।
କୋରାପୁଟ ଜିଲ୍ଲାର ସହରାଞ୍ଚଳରେ କାମ କରିବା ପାଇଁ ନୀତି ଶହଶହ ମହିଳା ଓ ପୁରୁଷ ଶ୍ରମିକ ଗାଁଗଣ୍ଡାରୁ ଆସି ପହଞ୍ଚିଥାନ୍ତି । ସେମାନଙ୍କୁ ଗାଁରୁ ସହରକୁ ଆଣିବା ଓ କାମ ସରିବା ପରେ ପୁଣିଥରେ ଗାଁକୁ ଫେରାଇନେବାରେ ଗାଁ ଯୁବକଙ୍କ ଦ୍ବାରା ପରିଚାଳିତ ଅଟୋରିକ୍ସା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ସାମାଜିକ ଦୂରତ୍ବ ନିୟମକୁ ପାଳନ କରି ଅଟୋରିକ୍ସା ଚଳାଇଲେ କ୍ଷତି ସହିବାର ଭୟ ଗ୍ରାସ କରୁଥିବା ଯୋଗୁଁ ଅଟୋରିକ୍ସା ଚାଳକ ମାନେ ଶ୍ରମିକଙ୍କୁ ସହରକୁ ନେଇ ଯିବା ପାଇଁ କିଛି କଟକଣା ନଥିଲେ ମଧ୍ୟ ଆଣି ପାରୁନାହାନ୍ତି ।
ଅନ୍ୟପଟେ ଗାଁର ଶ୍ରମିକ ଗୋଟିଏ ଅଟୋରେ ମାତ୍ର ଚାରି ଜଣ ଯିବା ପାଇଁ ଖର୍ଚ୍ଚ ପାଞ୍ଚଗୁଣା ବଢିଯାଉଥିବା ଯୋଗୁଁ ସହରରେ କାମ କରିବାକୁ ଯିବା ପାଇଁ ଅମଙ୍ଗ ହେଉଛନ୍ତି । ସେପଟେ ଏନଆରଜିଏ କାମ ଆରମ୍ଭ ହୋଇନଥିବାବେଳେ ଗାଁରେ ଛୋଟମୋଟ କାମ କରି ଜୀବକା ନିର୍ବାହ କରୁଛନ୍ତି ଏମାନେ ।
ଅନ୍ୟପକ୍ଷରେ କୋରୋନା ଭୂତାଣୁ ସଂକ୍ରମଣ ହେବା ଭୟରେ ଦୂରସ୍ଥାନକୁ ଶ୍ରମିକ ମାନେ ଯାଉନଥିବା ମଧ୍ୟ କୁହାଯାଉଛି । ସେପଟେ କର୍ମକ୍ଷେତ୍ରରେ ସାମାଜିକ ଦୂରତା ରଖିବା ସହିତ ସାନିଟାଇଜର ବ୍ୟବହାର କରାଯାଉଥିଲେ ମଧ୍ୟ କମ୍ ସଂଖ୍ୟକ ଲୋକଙ୍କ ଯୋଗୁଁ କିଛି କାମ ମେସିନ ମାଧ୍ୟମରେ ହେଉଥିବା ଦେଖିବାକୁ ମିଳୁଛି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ