କୋରାପୁଟ: ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ବର ସ୍ବତନ୍ତ୍ର ହୀରାଖଣ୍ଡ ଏକ୍ସପ୍ରେସ LHB କୋଚ୍ ସହିତ ଯାତାୟାତ କରିବା ଆରମ୍ଭ କରିଛି । ଯାତ୍ରୀଙ୍କୁ ଉତ୍ତମ, ଆରାମଦାୟକ ଓ ଜର୍କ ମୁକ୍ତ ଯାତ୍ରା ଯୋଗାଇବା ପାଇଁ ପୂର୍ବତଟ ରେଳପଥ ବର୍ତ୍ତମାନ ଚାଲୁଥିବା ପାରମ୍ପରିକ କୋଚଗୁଡ଼ିକୁ ବଦଳାଇ ଆଧୁନିକ ଲିଙ୍କ-ହୋଫମ୍ୟାନ-ବସ୍ (LHB) କୋଚ୍ ସହିତ ଭୁବନେଶ୍ବର-ଜଗଦଲପୁର- ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସ ଚଳାଚଳ କରିବାକୁ ନିଷ୍ପତ୍ତି ନେବାପରେ ଆଜିଥିଲା ନବକଳେବର ପାଇଥିବା ଏହି ରେଲଗାଡିର କୋରାପୁଟରେ ପ୍ରଥମ ଦିନ ।
ଏନେଇ ଶୁକ୍ରବାର ରାତିରେ ଭୁବନେଶ୍ୱରରୁ ଏହି ରେଳଗାଡିକୁ ପତାକା ଦେଖାଇ ଅତିଥିମାନେ ଶୁଭାରମ୍ଭ କରିବା ସହ କୋରାପୁଟରୁ ଭୁବନେଶ୍ୱର ଅଭିମୁଖେ ହୀରାଖଣ୍ଡ ଏକ୍ସପ୍ରେସ ତାର ପୁରୁଣା ବଗି ଗୁଡିକୁ ସାଥିରେ ନେଇ ଶେଷ ଥର ପାଇଁ ଯାତ୍ରା କରିଥିଲା । ନୂତନ ଭାବେ ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ଯୋଗୁଁ ଉନ୍ନତ ମାନର ସେବା ଯୋଗାଇଦେବ ବୋଲି ରେଲବାଇର ବରିଷ୍ଠ ଅଧିକାରୀ ଆଶାବ୍ୟକ୍ତ କରିଛନ୍ତି ।
ସେପଟେ ଏହି ନୂତନ ଇଞ୍ଜିନ ସହ ହୀରାଖଣ୍ଡ ଯାତ୍ରା କରୁଥିବା ଯୋଗୁଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କୋରାପୁଟ ବିଧାୟକ ରଘୁରାମ ପଡାଲ କୃତଜ୍ଞତା ଜଣାଇଛନ୍ତି ।ତେବେ ଏହି ଅତ୍ୟାଧୁନିକ ଇଞ୍ଜିନ ସମ୍ପନ୍ନ ରେଲଗାଡି ପାଇଁ ଉପଯୁକ୍ତ ରେଳଧାରଣା ଯୋଗାଇ ଦେଲେ କୋରାପୁଟରୁ ଭୁବନେଶ୍ୱର ଯାତ୍ରାର ସମୟ ଆହୁରି କମି ହୋଇପାରନ୍ତା ବୋଲି ଯାତ୍ରୀ ଅନୁପ ମହାନ୍ତି ଆଶାବ୍ୟକ୍ତ କରିଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର. ଇଟିଭି ଭାରତ