କୋରାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅଞ୍ଚଳରୁ ପ୍ରାୟ 70 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଗତକାଲି(ଶନିବାର) ବିଳମ୍ବିତ ରାତିରେ ମାଛକୁଣ୍ଡ ନିକଟସ୍ଥ ଘଡାବେଡା ନିକଟରୁ ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ପୋଲିସ। ଆନ୍ଧ୍ରପ୍ରଦେଶର ସୀମାନ୍ତରୁ ଜୟପୁରକୁ ଏହି ଗଞ୍ଜେଇ ଚାଲାଣ ହେଉଥିବା ନେଇ ମାଛକୁଣ୍ଡ ପୋଲିସ ସୂଚନା ଦେଇଛି।
କୌଣସି ସୂତ୍ରରୁ ଖବର ପାଇ ମାଛକୁଣ୍ଡ ପୋଲିସ ଏକ ନମ୍ବର ବିହୀନ ବୋଲେରୋ ପିକପ ଗାଡ଼ିର ପିଛା କରିଥିଲା। ଏହାପରେ ମାଛାକୁଣ୍ଡରୁ 5 କିଲୋମିଟର ଦୂରରେ ଥିବା ଘଡ଼ାବେଡ଼ା ନାମକ ଏକ ପୋଲ ନିକଟରୁ ଏହି ବୋଲେରୋ ପିକଅପ ଭ୍ୟାନକୁ ଅଟକାଇବାକୁ ସକ୍ଷମ ହୋଇପାରିଥିଲା ପାଲିସ। ଛାନଭିନ ବେଳେ ଗାଡ଼ି ଭିତରୁ ପୋଲିସ 712 କେଜି 7ଶହ ଗ୍ରାମର ଗଞ୍ଜେଇ ଜବତ କରିଥିଲା।
ଗାଡ଼ି ଜବତ ହେବାକ୍ଷଣି ଗାଡ଼ିଚାଳକ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିଲା। ସ୍ଥାନୀୟ ଅଞ୍ଚଳରେ ଏହି ଗଞ୍ଜେଇର ମୂଲ୍ୟ 40 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବାନେଇ ମାଛକୁଣ୍ଡ ପୋଲିସ ସୂଚନା ଦେଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରାଯିବା ନେଇ ମାଛକୁଣ୍ଡ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।
ଗତକିଛି ଦିନ ହେଲା କୋରାପୁଟ ଜିଲ୍ଲା ଗଞ୍ଜେଇ ଚାଲାଣାକାରୀଙ୍କ ଆଡ୍ଡା ପାଲଟିଛି। କିଛିଦିନ ମଧ୍ୟରେ ଗଞ୍ଜେଇ ମାଫିଆମାନେ ବିଭିନ୍ନ ଉପାୟରେ ଜିଲ୍ଲାକୁ ଗଞ୍ଜେଇ ଚାଲାଣ କରି ଚାଲିଛନ୍ତି। ବିଶେଷ କରି ବିହାର, ଉତ୍ତର ପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର ଅଞ୍ଚଳକୁ ଏହି ଗଞ୍ଜେଇ ଚାଲାଣ କରାଯାଉଛି। ଗଞ୍ଜେଇ ମାଫିଆଙ୍କୁ ନେଇ ପୋଲିସ ସଜାଗ ରହିଥିବା କଥା କହିଛନ୍ତି ପୋଲିସ ଅଧିକାରୀ।
କୋରାପୁଟରୁ ଚେଲାପିଲା ଶାନ୍ତାକାର, ଇଟିଭି ଭାରତ