କୋରାପୁଟ: ଆଜି (ବୁଧବାର) କୋରାପୁଟ ଜିଲ୍ଲା ବୈପାରିଗୁଡାଠାରେ ମଣ୍ଡିରେ ଚାଲିଥିବା ଅବ୍ୟବସ୍ଥାକୁ ନେଇ ଉତ୍ୟକ୍ତ ଚାଷୀ ରାସ୍ତାକୁ ଓହ୍ଲେଇଛନ୍ତି । ପୂର୍ବାହ୍ନ 10ଟାରେ ଚାଷୀମାନେ ରାଞ୍ଚି-ବିଜୟୱାଡା ୩୨୬ ରାଜପଥକୁ ଅବରୋଧ କରିବା ସହ ମଣ୍ଡିରେ ଚାଲିଥିବା ଅନିୟମିତତା ନେଇ ଗର୍ଜିଥିଲେ । ଫଳରେ ବହୁ ସଂଖ୍ୟାରେ ଯାନବାହାନ ରାସ୍ତା ଉପରେ ଅଟକିଥିଲା।
ଟୋକନ ପାଇଥିବା ସତ୍ତ୍ବେ ଚାଷୀଙ୍କ ଠାରୁ ଧାନ ନକିଣିବାକୁ ନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ଅବ୍ୟବସ୍ଥାକୁ ସୁଧାରିବା ସହ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ପ୍ରଶାସନିକ ସ୍ତରରେ ଆବଶ୍ୟକୀୟ ପଦକ୍ଷେପ ନେବା ନିମନ୍ତେ ସ୍ଥାନୀୟ ତହସିଲଦାର ଏବଂ ବିଡ଼ିଓଙ୍କୁ ଲିଖିତ ଆକାରରେ ଦାବିପତ୍ର ପ୍ରଦାନ କରିଥିଲେ। ଏଥିସହ ଦାବି ପୂରଣ ନହେଲେ ଆନ୍ଦୋଳନାତ୍ମକ ପଦକ୍ଷେପ ନେବେ ବୋଲି ମଧ୍ୟ ପୋଲିସକୁ ଆଗୁଆ ସୂଚନା ପ୍ରଦାନ କରିଥିଲେ।
ତଥାପି ଚାଷୀଙ୍କ ଦାବିକୁ ଗୁରୁତ୍ବର ସହ ବିଚାରକୁ ନନିଆଯିବାରୁ ଆଜି ଚାଷୀମାନେ ରାସ୍ତାରୋକ କରିଛନ୍ତି। ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ଉତ୍ୟକ୍ତ ଚାଷୀ ଦୀର୍ଘ ଦେଢଘଣ୍ଟା ଧରି ଘେରାଉ କରି ରଖିଥିଲେ। ଶେଷରେ ତହସିଲଦାର ତ୍ରିପାଠୀ ଏ ଘଟଣା ସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ଜିଲ୍ଲାପାଳ ମଣ୍ଡିରୁ ଧାନ ଉଠାଯିବା ନେଇ ସିଏସ୍ଓଙ୍କ ସହ ଆଲୋଚନା କରିବା ପାଇଁ ପରାମର୍ଶ ଦେଇଥିଲେ।
ସିଏସ୍ଓ ସମସ୍ତ ଘଟଣା ଜାଣିବାପରେ ଆସନ୍ତାକାଲି(ଗୁରୁବାର) ଧାନ କିଣାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତହସିଲଦାର ତ୍ରିପାଠୀ ସିଏସ୍ଓଙ୍କ ପ୍ରତିଶୃତି ସଂପର୍କରେ ଚାଷୀମାନଙ୍କୁ ଜଣାଇବା ପରେ ଚାଷୀମାନେ ରାସ୍ତାରୋକରୁ ଓହରି ଯିବା ପାଇଁ ରାଜି ହେବା ସହ ପ୍ରକାଶ କରିଛନ୍ତି ଯେ, ସିଏସ୍ଓଙ୍କ ସହ ଆମର କୈଣସି ସମ୍ପର୍କ ନାହିଁ । ଆସନ୍ତାକାଲି ଯଦି ଧାନ କିଣା ନଯାଏ ତେବେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ରାସ୍ତାରୋକ କରିବା ସହ ଆନ୍ଦୋଳନକୁ ତୀବ୍ର କରିବୁ।
ପ୍ରକାଶ ଥାଉ କି, ବୈପାରିଗୁଡା ବ୍ଲକରେ ଆଠଟି ମଣ୍ଡି ରହିଥିବା ବେଳେ ହଜାର ହଜାର କୁଇଣ୍ଟାଲ ଧାନ କିଣା ନହୋଇ ପଡ଼ିରହିଛି । ଚାଷୀମାନେ ଆକାଶ ତଳେ ଥଣ୍ଡାରେ ପଡ଼ିରହି ନିଜ ନିଜ ଧାନକୁ ଜଗି ବସିଛନ୍ତି। ସ୍ଥାନୀୟ ଆଇଆଇସି ରଘୁନାଥ ମାଝୀ ଆଇନ୍ ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ଘଟଣା ସ୍ଥଳରେ ପହଞ୍ଚିବା ସହ ବୁଝାସୁଝା କରୁଥିବା ଲକ୍ଷ୍ୟ କରାଯାଇଥିଲା।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ