କୋରାପୁଟ: ଠକଙ୍କ ଟାର୍ଗେଟରେ ଏବେ ଟ୍ରେନ ଯାତ୍ରୀ । ନିଜକୁ ଟିଟିଇ ପରିଚୟ ଦେଇ ରେଳଯାତ୍ରୀଙ୍କ ଠାରୁ ଅର୍ଥ ଆଦାୟ କରୁଥିବାବେଳେ ଛତିଶଗଡ ରାଜ୍ୟ ବସ୍ତର ଜିଲ୍ଲାର ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ନକଲି ଟିଟିଇ ଜଣକ ଛତିଶଗଡର ଦରଭା ଥାନା କୟାପଲ ଗ୍ରାମର ବୁଦୁରି ନାଗ ବୋଲି ଜଣାପଡିଛି। ଏନେଇ ସୂଚନା ଦେଇଛନ୍ତି କୋରାପୁଟ ଜିଆରପି ପୋଲିସ ସବ ଇନସପେକ୍ଟର ବିମଳ ଭୋଇ । ତେବେ ପାସେଞ୍ଜର ଟ୍ରେନ ଗୁଡିକ ଠକଙ୍କ ଟାର୍ଗେଟରେ ରହିଥିବା ଅଭିଯୋଗ ହୋଇଛି ।
ରାୟଗଡା ଓ କୋରାପୁଟ ମଧ୍ୟରେ ଥିବା ରେଳ ଲାଇନଟି ଅତ୍ୟନ୍ତ ନିଛାଟିଆ ଅଞ୍ଚଳ ଦେଇ ଗତି କରୁଛି । ତେବେ ଦ୍ରୁତଗାମୀ ଟ୍ରେନ ଗୁଡିକ ପ୍ରତିଟି ଷ୍ଟେସନରେ ଅଟକୁ ନଥିବା ଯୋଗୁ ଏହି ଗାଡି ଗୁଡିକରେ ଯାତ୍ରୀ ଅଧିକ ଅସୁରକ୍ଷିତ ମଣୁଛନ୍ତି । ଏଥି ସହିତ ବିଶାଖାପାଟଣାରୁ କୋରାପୁଟ ଆସୁଥିବା ଡିଏମୟୁ ପାସେଞ୍ଜର ଟ୍ରେନରେ ସ୍ଲିପର ବଗି ରହୁନଥିବା ଯୋଗୁ ଏଥିରେ ଟିଟିଇ ବା ରେଳ ବିଭାଗ ପୋଲିସ ରହୁନାହାନ୍ତି । ଫଳରେ କିଛି ଯାତ୍ରୀ ଟିକେଟ ନକରି ଗୋଟିଏ ବା ୨ଟା ଷ୍ଟେସନ ପରେ ଓହ୍ଲାଇ ପଡୁଛନ୍ତି । ଏପରି ସ୍ଥଳେ ଟିକେଟ ନକରି ଯାତ୍ରା କରୁଥିବା ରେଳ ଯାତ୍ରୀଙ୍କୁ ଏହି ନକଲି ଟିଟିଇ ଟାର୍ଗେଟ କରୁଥିବା ଜଣାପଡିଛି ।
ଟିକେଟ କରିନଥିବା ଯାତ୍ରୀମାନଙ୍କୁ ଡରାଇ ଧମକାଇ ସେମାନଙ୍କଠାରୁ ଟଙ୍କା ଆଦାୟ କରୁଛନ୍ତି ନକଲି ଟିଟିଇ । ଏଭଳି ଘଟଣା ଲୋକ ଲୋଚନକୁ ଆଣିଛି ଲକ୍ଷ୍ମୀପୁର ଆରପିଏଫ । ଲକ୍ଷ୍ମୀପୁର ଷ୍ଟେସନରେ ବିଶାଖାପାଟଣା - କୋରାପୁଟ ଡିଏମୟୁ ଟ୍ରେନରେ ସନ୍ଦେହଜନକ ଅବସ୍ଥାରେ ଯାତ୍ରୀଙ୍କ ଟିକେଟ ଯାଞ୍ଚ କରୁଥିବାବେଳେ ଅଭିଯୁକ୍ତକୁ କାବୁ କରିଛି ଆରପିଏଫ । ତେବେ ଯାଞ୍ଚ କରିବାରୁ ସେ ଜଣେ ଠକ ଓ ଟଙ୍କା ଆଦାୟ କରିବା ଲକ୍ଷରେ ନକଲି ଟିଟି ବେଶରେ ଟ୍ରେନରେ ଯାତ୍ରା କରୁଥୁବା ଜଣାପଡିଥିଲା ।
ଗିରଫ ପରେ କୋରାପୁଟ ଜିଆରପିକୁ ହସ୍ତାନ୍ତର କରିଥିଲା ଆରପିଏଫ । କୋରାପୁଟ ଜିଆରପି ପୋଲିସ ନକଲି ଟିଟିଇକୁ ଗିରଫ କରିତଦନ୍ତ ଜାରି ରଖିଥିବା ଜଣାଇଛି । କୋରାପୁଟ -ରାୟଗଡା ରେଳପଥର ରାଉଳି ଷ୍ଟେସନରୁ ଚଢି ବିନା ଟିକେଟରେ ଯାତ୍ରା କରୁଥୁବା ଲୋକଙ୍କଠାରୁ ସେ ଟଙ୍କା ଆଦାୟ କରିଥିବା ପୋଲିସ ଜାଣିବାକୁ ପାଇଛି । ତେବେ ରାୟଗଡା ଓ କୋରାପୁଟ ମଧ୍ୟରେ ଚଳାଚଳ କରୁଥିବା ରେଳ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ସଧାରଣରେ ଦାବି ହୋଇଛି ।
ଇଟିଭି ଭାରତ, କୋରାପୁଟ