କୋରାପୁଟ: କୋଲାବ ନଦୀର ଜଳ ଉତ୍ସ ତଥା ଆଦିବାସୀଙ୍କ କୃଷି ଜୀବିକାର ସୁରକ୍ଷା ପାଇଁ ବାହାରିଲା ଲୋକଶକ୍ତି ଅଭିଯାନ । ସେମିଳିଗୁଡା ବ୍ଲକ ଅନ୍ତର୍ଗତ ମାଳି ପର୍ବତରେ ଖଣି ଖନନ ଲିଜକୁ ବାତିଲ କରିବା ପାଇଁ ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାୟ ଦାବି କରିଛନ୍ତି ।
ସୂଚନା ଅନୁଯାୟା, ମାଳି ପର୍ବତରେ ଖଣି ଖନନ ପାଇଁ ଏକ କମ୍ପାନୀକୁ ପରିବେଶ ମଞ୍ଜୁରୀ ସହ ବକ୍ସାଇଟ ଖଣି ଲିଜ ଦିଆଯାଇଥିଲେ ହେଁ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ଯୋଗୁଁ ଖଣି ଖନନ ହୋଇପାରିନଥିଲା । କମ୍ପାନୀର ପରିବେଶ ମଞ୍ଜୁରୀ 2011 ରେ ଶେଷ ହୋଇ ଯାଇଥିଲେ ବି କମ୍ପାନୀ ଜବରଦସ୍ତ 2012 ରୁ 2014 ପର୍ଯ୍ୟନ୍ତ ବେଆଇନ ଭାବେ ଖଣି କାର୍ଯ୍ୟ ଚାଲୁ ରଖିଥିଲା । କିନ୍ତୁ ଏହି ବେନିୟମ କାର୍ଯ୍ୟ ପାଇଁ କମ୍ପାନୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ସୁପାରିଶ କରି ଥିବାବେଳେ ବର୍ତ୍ତମାନ ସେହି କମ୍ପାନୀକୁ କିପରି 50 ବର୍ଷ ପାଇଁ ଲିଜ ଦିଆଗଲା ସେନେଇ ସାମନ୍ତରାୟ କୋରାପୁଟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ।
ଏହି ପର୍ବତ ଅଞ୍ଚଳରୁ 30 ରୁ ଊର୍ଦ୍ଧ୍ଵ ଝରଣା ପ୍ରବାହିତ ହେଉଥିବା ଫଳରେ ଶତାଧିକ ଗ୍ରାମବାସୀ ଚାଷବାସ କରି ବଞ୍ଚୁଛନ୍ତି । ସେଥିପାଇଁ ଗତ 15 ବର୍ଷ ଧରି ଲୋକେ ଗଣତାନ୍ତ୍ରିକ ଆନ୍ଦୋଳନ ଦ୍ଵାରା ପ୍ରତିରୋଧ କରିଆସିଥିବା ଯୋଗୁଁ ଏଠାରେ ଖଣି ଖନନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସାମନ୍ତରାୟ ଦାବି କରିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ