କୋରାପୁଟ: ମଙ୍ଗଳବାର ଥିଲା ଅନ୍ତର୍ଜାତୀୟ ଶିଶୁକନ୍ୟା ଦିବସ, ଝିଅଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି । ପ୍ରତିଟି ଝିଅ ପାଠ ପଢିବେ, ଶିକ୍ଷିତ ହେବେ, ସମାନ ଅଧିକାର ପାଇବା ସହ କିପରି ସମାଜ କଲ୍ୟାଣ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇବେ ସେ ବାବଦରେ ଧ୍ୟାନ ଦେବା ଏହି ଦିବସର ମୂଳ ଲକ୍ଷ୍ୟ । ତେବେ ଆଜିର ଦିନରେ ଅନେକ କ୍ଷେତ୍ରରେ ଝିଅମାନେ ଆଗକୁ ଯାଇଥିବା ବେଳେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ଥରରେ ମଧ୍ୟ ବେଶ ସଫଳତା ପାଇଛନ୍ତି ।
କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ମଧ୍ୟ ଅନେକ ଝିଅ ବହୁତ ଆଗକୁ ଯାଇଛନ୍ତି, ଘର କୋଣରେ ନୁହଁ ବରଂ ଘର ବାହାରକୁ ଆସି ନିଜକୁ ଆତ୍ମନିର୍ଭର କରିବା ସହ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ''ପୂର୍ବ ଅପେକ୍ଷା ବର୍ତ୍ତମାନ ଅଭିଭାବକ ମାନେ ଝିଅ ମାନଙ୍କୁ ପୁଅ ଠାରୁ କୌଣସି ଗୁଣରେ କମ୍ ଦେଖୁ ନାହାନ୍ତି । ଏଥିପାଇଁ କୋରାପୁଟ ଜିଲ୍ଲାରେ ଅଜଣା ଗ୍ରାମରେ ଥିବା ଆଦିବାସୀ ଝିଅ ଟିଏ ହେଉ ବା କୋରାପୁଟ, ଜୟପୁର ଓ ସେମିଳିଗୁଡା ଭଳି ସହରାଞ୍ଚଳର ଝିଅ ହୁଅନ୍ତୁ ସମସ୍ତେ ନିଜ ନିଜ କ୍ଷେତ୍ରରେ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି ବୋଲି ପୂର୍ବତନ ଜିଲ୍ଲା ବାଳିକା ସଂଯୋଜିକା ପଦ୍ମିନୀ ପାଠୀ ମତ ରଖିଛନ୍ତି'' ।
ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଶିରିବେଡ଼ା ଗ୍ରାମସ୍ଥିତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ହୀରା ମାଝୀ ଶାବରୀ ସୁକନ୍ୟା ସମ୍ମାନ ପାଇଥିବା ବେଳେ ସେମିଳିଗୁଡାର ଝିଅ ରୁଚିକା ଦିବ୍ୟଦର୍ଷିନି ପଣ୍ଡାଙ୍କ ଦ୍ଵାରା ରଚିତ 200 କବିତାକୁ ନେଇ ଏକ ସଙ୍କଳନ ପ୍ରକାଶ ପାଇଥିଲା । ସେହିପରି ନିକଟରେ ରଞ୍ଜିତା ମାଝୀ ଓଡ଼ିଶା ପ୍ରଶାସନିକ ସେବାରେ କାର୍ଯ୍ୟ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
କୋରାପୁଟ ଝିଅଙ୍କ କୃତିତ୍ବର ତାଲିକା ଦିନକୁ ଦିନ ଲମ୍ବା ହୋଇଚାଲିଥିବା ବେଳେ ମଞ୍ଚ ନାଟକରେ ମଧ୍ୟ ଝିଅ ମାନଙ୍କ ଅଂଶ ଗ୍ରହଣ ବୃଦ୍ଧି ପାଉଛି, ଏନେଇ ବିଶିଷ୍ଟ ନାଟ୍ୟକାର ସୁବୋଧ ପଟ୍ଟନାୟକ କହିଛନ୍ତି ଯେ,'' ଦିନଥିଲା ଯେତେବେଳେ ମଞ୍ଚ ନାଟକରେ ପୁଅ ମାନେ ଝିଅଙ୍କ ଅଭିନୟ କରିବାକୁ ପଡୁଥିଲା । ଝିଅ ମାନଙ୍କୁ ଅଭିନୟ କରିବାର ସୁଯୋଗ ମିଳୁନଥିଲା । କିନ୍ତୁ ସମୟ କ୍ରମେ ଝିଅଙ୍କୁ ଅଭିନୟ କରିବାର ସୁଯୋଗ ମିଳିଛି''।
ଅନ୍ତର୍ଜାତୀୟ କନ୍ୟା ଦିବସ ଅବସରରେ କୋରାପୁଟର ଝିଅ ଆଦ୍ୟାଶା ଫାଲଗୁନି କହିଛନ୍ତି ଯେ, '' ମୁଁ ମୋ ଅଭିଭାବକ ମାନଙ୍କ ପାଇଁ ନିଜକୁ ସୁରକ୍ଷିତ ଭାବେ, ମୋ ଅଭିଭାବକ ମୋତେ ଆଗକୁ ଯିବାକୁ ସହଯୋଗ କରୁଛନ୍ତି । ଅନେକ କ୍ଷେତ୍ରରେ ଝିଅଙ୍କୁ ତାଙ୍କ ଅଧିକାର ମିଳୁନାହିଁ । ମୋ ଅଭିଭାବକଙ୍କ ମୋତେ ପ୍ରତିଟି କ୍ଷେତ୍ରରେ ଆଗକୁ ଯିବାକୁ ସାହାସ ଦେବା ସହ ସହଯୋଗ ମଧ୍ୟ କରୁଛନ୍ତି'' ।