କୋରାପୁଟ: ଦଣ୍ଡକାରଣ୍ୟ ଅଞ୍ଚଳକୁ ସ୍ବତନ୍ତ୍ର ଅଞ୍ଚଳ ଗଠନ ଦାବି ତେଜିଲା । ଆଜି କୋରାପୁଟରେ ତିନୋଟି ରାଜ୍ୟର ଆଦିବାସୀ ନେତାମାନେ ଏକତ୍ର ହୋଇ ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ (DPBP) ସର୍ବସମ୍ମତି କ୍ରମେ ଲୋଗ ଓ ପତାକା ମଧ୍ୟ ଉନ୍ମୋଚନ କରିଛନ୍ତି। ଏହାକୁ ସାକାର କରିବା ପାଇଁ ଆଦିବାସୀ ମାନଙ୍କୁ ଏକତ୍ର ହୋଇ ଲଢିବା ପାଇଁ ପଡିବ ବୋଲି ନେତାମାନେ ପ୍ରକାଶ କରିଛନ୍ତି ।
ପୂର୍ବତନ ସାଂସଦ ଜୟରାମ ପାଙ୍ଗିଙ୍କ ଅଧ୍ୟକ୍ଷତାରେ ଗତ କିଛି ମାସ ପୂର୍ବେ ଗଠନ କରାଯାଇଥିବା ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦରେ ଓଡ଼ିଶାର କୋରାପୁଟ ସୀମାବର୍ତୀ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ଆଦିବାସୀ ନେତୃବୃନ୍ଦଙ୍କ ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । ଏହି ତିନୋଟି ରାଜ୍ୟର ସୀମାବର୍ତୀ ଅଞ୍ଚଳରେ ବିକାଶ ପହଞ୍ଚାଇବା ପାଇଁ ଏକ ସ୍ବତନ୍ତ୍ର ଦଣ୍ଡକାରଣ୍ୟ ଅଞ୍ଚଳ ଗଠନ କରିବା ପାଇଁ ଏହି ନେତୃବୃନ୍ଦଙ୍କ ମଧ୍ୟରେ ଦାବି ଜୋର ଧରିଛି । ତେବେ ଏହାକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳ କିମ୍ବା ଏକ ସ୍ବତନ୍ତ୍ର ରାଜ୍ୟ କରିବେ ସେ ନେଇ ମତଭେଦ ଦେଖାଦେଇଥିବା ପାଙ୍ଗି କହିଛନ୍ତି ।
ତେବେ ଏହି ଅଞ୍ଚଳର ଆଦିବାସୀ ତିନୋଟି ରାଜ୍ୟର ସରକାରଙ୍କ ଦ୍ବାରା ଅବହେଳିତ ହୋଇରହିଛନ୍ତି। ସେହି ରାଜ୍ୟ ଗୁଡିକରୁ ଅଲଗା ହୋଇ ସମ୍ପୂର୍ଣ୍ଣ ରୂପେ ଆଦିବାସୀ ଶାସିତ ଅଞ୍ଚଳ ଭାବେ ଦଣ୍ଡକାରଣ୍ୟ ପ୍ରଦେଶ ଗଠନର ଆବଶ୍ୟକତା ରହିଛି ବୋଲି ଆନ୍ଧ୍ରର ଆରାକୁରୁ ଆସିଥିବା ଆଦିବାସୀ ନେତା ଦୃଢୋକ୍ତି ପ୍ରକାଶ କରିଛନ୍ତି । ଆଜି କୋରାପୁଟରେ ଆୟୋଜିତ ସଭାରେ ଏହି ତିନୋଟି ରାଜ୍ୟର ବୁଦ୍ଧିଜୀବୀ ଏକାଠି ହୋଇ ବିଷଦ ଭାବେ ଆଲୋଚନା କରିଥିବା କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା କହିଛନ୍ତି।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ