କୋରାପୁଟ: ଜିଲ୍ଲାରେ ଖଣି ଖନନ କାର୍ଯ୍ୟର ତ୍ବରାନ୍ବିତ ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଅଞ୍ଚଳବାସୀ । ସେହିପରି ସେମିଳିଗୁଡା ବ୍ଲକରେ ହିଣ୍ଡାଲକୋ ପାଇଥିବା ମାଳି ପର୍ବତ ଖଣିର ଖନନ କାର୍ଯ୍ୟ ଯଥାଶିଘ୍ର ଆରମ୍ଭ କରିବାକୁ ବ୍ଲକର ଦଳେଇ ଗୁଡା,ପାଖଝୋଲା,ସୋରିଷ ପଦର ଓ ଖୁଡି ପଞ୍ଚାୟତ ଅନ୍ତର୍ଗତ ୧୮ଟି ଗ୍ରାମର ଲୋକେ ଏନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ତେବେ ସେମାନେ ଅଭିଯୋଗ କରିଛନ୍ତି କି ଉକ୍ତ ଅଞ୍ଚଳରେ ଖଣି ଖନନ କାର୍ଯ୍ୟ ଆରମ୍ଭ ହେଲେ ଜିଲ୍ଲାର ବେକାର ଯୁବକ ଯୁବତୀମାନେ ରୋଜଗାର ପାଇବା ସହ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବେ ନାହିଁ । ଯାହା ଫଳରେ ଅଞ୍ଚଳର ବିକାଶ ହୋଇ ପାରିବ । ଖଣି ଖନନ ଦ୍ବାରା ଅଞ୍ଚଳବାସୀଙ୍କର କୌଣସି କ୍ଷତି ହେଉନଥିବା ବେଳେ ବିରୋଧି ମାନେ କାହିଁକି ଏହାକୁ ବିରୋଧ କରୁଛନ୍ତି ବୋଲି ଖଣି ଖନନକୁ ସମର୍ଥନ କରୁଥିବା ଲୋକେ ଅଭିଯୋଗ କରିଛନ୍ତି ।
ତେବେ ଆସନ୍ତା ୨୨ତାରିଖରେ ହେବାକୁ ଥିବା ଜନ ଶୁଣାଣିରେ ସେମାନେ ପୂର୍ଣ୍ଣ ସମର୍ଥନ ଜଣାଇବେ ବୋଲି କହିଛନ୍ତି । ଯେଉଁ ମାନେ ନିଜ ସ୍ବାର୍ଥ ସାଧନ ଲାଗି ବାହାର ଲୋକଙ୍କୁ ଧରି ଖଣି ଖନନ ବନ୍ଦ କରିବାକୁ ହୀନ ଚକ୍ରାନ୍ତ ଚଲାଉଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ୧୮ଟି ଗ୍ରାମବାସୀ ଦାବି କରିଛନ୍ତି ।
ସୂଚନାନୁଯାୟୀ ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ଖଣି ଖନନକୁ ଚାଲୁ କରିବା ପାଇଁ ଗ୍ରାମବାସୀ ମାନେ ସ୍ଲୋଗାନ ଦ୍ବାରା ଦାବି କରିଛନ୍ତି । ତେବେ କିଛିଦିନ ପୂର୍ବେ ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାୟ କୋରାପୁଟରେ ଏକ ସାମ୍ବାଦିକ ସମ୍ମିଳନୀରେ ମାଲିପର୍ବତରେ ଝରଣା ଓ ଜୈବ ବିବିଧତାର ସମସ୍ୟାକୁ ଉଠାଇବା ସହ ସେଠାରେ ଖଣି ଖନନକୁ ବିରୋଧ କରିଥିଲେ ।
ସେପଟେ ଏବେ ସମସ୍ତଙ୍କ ନଜର ଆସନ୍ତା 22 ତାରିଖକୁ ରହିଥିବା ବେଳେ ଖଣି ଖନନକୁ ନେଇ ହେବାକୁଥିବା ଜନ ଶୁଣାଣି ପୂର୍ବରୁ ଖଣି ସମର୍ଥକଙ୍କ ଏହି ବିଶାଳ ଶକ୍ତି ପ୍ରଦର୍ଶନ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସୁକତା ବୃଦ୍ଧି ପାଇଛି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ