କୋରାପୁଟ: ଜିଲ୍ଲାରେ ଉତ୍ପାଦିତ କଫି ବର୍ତ୍ତମାନ ବିଭିନ୍ନ ବ୍ରାଣ୍ଡରେ ଦେଶବିଦେଶ ବେଶ୍ ଆଦୃତ ହେଉଛି । ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଆଦିବାସୀଙ୍କ ପାଇଁ ପରିଚିତ ଥିବା କୋରାପୁଟ କଫି ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ବର୍ତ୍ତମାନ ଜିଲ୍ଲାର ଅନେକ ଲୋକେ କଫି ଚାଷ ପ୍ରତି ଆକୃଷ୍ଟ ହେଉଛନ୍ତି । ଜିଲ୍ଲାର ଜଣେ ଯୁବ କଫି ଉଦ୍ୟୋଗୀ ସୁଶାନ୍ତ ପଣ୍ଡାଙ୍କୁ ଘରୋଇ ଟେଲିଭିଜନ ଲିମିଟେଡ ପକ୍ଷରୁ ଚଳିତ ବର୍ଷର ଓଡ଼ିଶା ସିଟିଜେନ ଆୱାର୍ଡ଼ ମିଳିଛି ।
କୋରାପୁଟ ରୁ ପ୍ରାୟ 20 କିମି ଦୂରରେ ରାଜୁଗୁଡା ଗାଁ । ଅନ୍ୟ ଯେ କୌଣସି ଏକ ଆଦିବାସୀ ଗାଁ ଟିଏ ଭଳି ଏହି ଗାଁ ଟି ମଧ୍ୟ ଏକ ଅଖ୍ୟାତ ପଲ୍ଲୀ ଭାବେ ଲୋକଲୋଚନ ର ଆଢ଼ୁଆଳରେ ରହିଯାଇଥାନ୍ତା । ହେଲେ କୋରାପୁଟ ଜିଲ୍ଲା ରାଜୁଗୁଡା ଗ୍ରାମର ଯୁବ କଫି ଉଦ୍ୟୋଗୀ ସୁଶାନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜ୍ୟୋସ୍ନା ରାଣୀ ପଣ୍ଡାଙ୍କ ମିଳିତ ପ୍ରୟାସରେ ଏହି ଗାଁକୁ ନୂଆ ପରିଚୟ ଦେଇଛନ୍ତି । ଏହି ଦମ୍ପତ୍ତି ରାଜୁଗୁଡା ଗାଁରେ କଫି ବଗିଚା ସୃଷ୍ଟି କରିଛନ୍ତି । ଗତ କୋଡିଏରୁ ତିରିଶ ବର୍ଷ ହେବ ଏହି ଅଞ୍ଚଳବାସୀଙ୍କୁ ବର୍ଷ ତମାମ କାମ ଦେଇ ସେମାନଙ୍କ ରୋଜଗାରର ପନ୍ଥା ସାଜିଛନ୍ତି । ପ୍ରାକୃତିକ ପ୍ରଣାଳୀରେ ଏଠାରେ କଫି ତିଆରି ହେଉଛି । ପ୍ରଥମେ ଗଛରୁ କଫି ମଞ୍ଜି ତୋଳି ତାହାକୁ ଗୁଣ୍ଡ କରି କଫି ପ୍ରସ୍ତୁତ କରାଯାଉଛି । ଏକର ଏକର ବ୍ୟାପି ଏହି କଫି ବଗିଚାର ସୋନ୍ଦର୍ଯ୍ୟ ସାଙ୍ଗକୁ ବିଭିନ୍ନ ପ୍ରାକୃତିକ ପରିବେଶକୁ ଉପଭୋଗ କରିବା ସହ କଫିର ମଜା ନେବାକୁ ଅନେକ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି । କଫି ତିଆରିର ପ୍ରତ୍ୟେକ ପ୍ରଣାଳୀକୁ ଫଟୋ ମାଧ୍ୟମରେ ପ୍ରଦର୍ଶନୀ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ମହକୁଛି କୋରାପୁଟ କଫି, ବଗିଚାରେ ମଜା ନେଉଛନ୍ତି ପର୍ଯ୍ୟଟକ
ଏହି ମ୍ୟୁଜିୟମଟି ଓଡ଼ିଶାରେ ପ୍ରଥମ ଥର ହୋଇଥିବା ବେଳେ ପର୍ଯ୍ୟଟକଙ୍କୁ ଏହା ବହୁ ପରିମାଣରେ ଆକୃଷ୍ଟ କରୁଛି ବୋଲି କଫି ଉଦ୍ୟୋଗୀ କହିଛନ୍ତି । କଫିକୁ କେବଳ ଚାଷରେ ସୀମିତ ନ ରଖି ବଗିଚା ମାଧ୍ୟମରେ ପର୍ଯ୍ୟଟନର ପ୍ରସାର କରି ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ସୁଶାନ୍ତ ପଣ୍ଡା । ତାଙ୍କୁ ମିଳିଥିବା ଏହି ସଫଳତା କୋରାପୁଟର ଅନେକ ଯୁବପୀଢ଼ିଙ୍କୁ ପ୍ରେରଣା ଦେବ ନିଶ୍ଚୟ ।
ଇଟିଭି ଭାରତ, କୋରାପୁଟ