କୋରାପୁଟ: ସରକାରୀ ଯୋଜନାରୁ ମାଇଲ ମାଇଲ ଦୂରରେ ପାହାଡର ପାଦ ଦେଶରେ ଆଦିବାସୀ ଚାଷୀ ଆଣିଦେଇଛି ନୂତନ ସମ୍ଭାବନା । ଦେଓମାଳି ପର୍ବତମାଳାର ପାଦଦେଶରେ ଥିବା ଅନାମଧେୟ ଗାଁ ଫୁଲବନ୍ଧର ଆଦିବାସୀ ଚାଷୀ ଲଛନା ଯାନୀ ନିଜ ଇଚ୍ଛାଶକ୍ତି , ଆଗ୍ରହ ଓ ଯୋଜନା ସାହାଯ୍ୟରେ ନିଜକୁ ଦେଶୀ କଦଳୀ ଚାଷ କ୍ଷେତ୍ରରେ ବେସ ପ୍ରତିଷ୍ଠିତ କରିପାରିଛନ୍ତି ।
ଲଛନା ଯାନୀ ଦିନେ ଦେଓମାଳି ପର୍ବତମାଳାର କୋଟିଆ ପଞ୍ଚାୟତରୁ ଯାଇ ଆନ୍ଧ୍ରପ୍ରଦେଶର ସାରକି ହାଟରେ ଟ୍ରାକ୍ଟର ଭର୍ତ୍ତି କଦଳୀ ବିକ୍ରିହେବା ପାଇଁ ଆସୁଥିବା ଦେଖି କୌତୁହଳ ବଶତଃ ସେ କିଛି ଚାଷୀଙ୍କୁ ଏ ସମ୍ପର୍କରେ ପଚାରି ବୁଝଥିଲେ । ପାହାଡିଆ ଜମିରେ ବି ଏତେ ପରିମାଣରେ କଦଳୀ ଚାଷ ହୋଇପାରେ ତାହା ଜାଣିବା ପରେ ନିଜ ଜମିରେ କଦଳୀ ଚାଷ କରିବା ପାଇଁ ସେ ମନ ବଳାଇଥିଲେ । ସେହି ହାଟରୁ ଚାଷୀଙ୍କ ସହ ତାଙ୍କ ଗାଁକୁ ଯାଇ ପାହାଡିଆ ଜମିରେ କଦଳୀ ଚାଷ କରିବାର ଉପାୟ ଶିଖିଥିଲେ । ଆଉ ସେହି ଚାଷୀଙ୍କ ଠାରୁ 20 ଟଙ୍କା ହିସାବରେ 20ଟି କଦଳୀ ଚାରା କିଣି ଘରକୁ ଫେରିଥିଲେ । ଆଉ ଏବେ 700 କଦଳୀ ଗଛ ଲଗାଇ ବେଶ କିଛି ଲାଭ କରିପାରୁଥିବା କହିଛନ୍ତି ଲଛନା।
ତାଙ୍କର ଏହି ସଫଳତାକୁ ଦେଖି ଗାଁ ର ଅନ୍ୟାନ୍ୟ ଚାଷୀ ମଧ୍ୟ ଦେଶୀ କଦଳୀ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ଲଛନା ଆଶା କରିଛନ୍ତି ଯେ ଆଉ ଅନ୍ତତଃ 2000 କଦଳୀ ଗଛ ଲଗାଇ ଆନ୍ଧ୍ର ଚାଷୀଙ୍କ ଭଳି ଓଡିଶାରୁ ବି ଆନ୍ଧ୍ର ହାଟକୁ କଦଳୀ ରପ୍ତାନି କରିପାରନ୍ତେ । କିନ୍ତୁ ଟିସୁ କଲଚର କଦଳୀ ଚାଷ ପାଇଁ ସରକାରୀ ପ୍ରୋତ୍ସାହନ ଥିବା ବେଳେ ଦେଶୀ କଦଳୀ ଚାଷ ପାଇଁ ନାହିଁ । କିନ୍ତୁ ଆଦିବାସୀ ଚାଷୀ ଟିଏ ପାହାଡିଆ ଜମିରେ କିପରି ସଫଳ ଭାବେ ଦେଶୀ କଦଳୀ ଚାଷ କରି ପାରିବ, ସେନେଇ ତା ଜମିକୁ ଜଳସେଚନ ସୁବିଧା କରାଯିବ ସେ ନେଇ ସରକାରୀ ସହଯୋଗ ଯୋଗାଇଦେବା ପାଇଁ ପ୍ରଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲା ଉଦ୍ୟାନ ବିଭାଗ ଅଧିକାରୀ ।
ନିଜ ଇଚ୍ଛା ଶକ୍ତିରେ ପାହାଡର ପାଦ ଦେଶରେ ଲଛନା ଯାନୀ ଭଳି ଜଣେ ଆଦିବାସୀ ସଫଳ ଦେଶୀ କଦଳୀ ଚାଷୀ ହେବା ଅନ୍ୟ ଚାଷୀମାନଙ୍କ ପାଇଁ ପ୍ରେରଣା ନିଶ୍ଚୟ ।
କୋରାପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ