କୋରାପୁଟ: କ୍ରୋଧ ମଣିଷର ହିତାହିତ ଜ୍ଞାନକୁ ସମାପ୍ତ କରିଦେଇଥାଏ । ଏହାର ପ୍ରଭାବରେ ମଣିଷ ସେହି ସମୟରେ କଣ ଯେ କରି ବସେ ସେ ମଧ୍ୟ ଜାଣେ ନାହିଁ । ଝିଅ ପାଠପଢିବାକୁ ମନା କରିବାରୁ ବାପାର ଚାପୁଡାରେ ଝିଅ ଘଟଣାସ୍ଥଳରେ ପ୍ରାଣ ହରାଇଛି । ଏହିପରି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗିରେ ।
କୋରୋନା ଯୋଗୁଁ ବିଦ୍ୟାଳୟ ବନ୍ଦ ପଡିଛି । ଛଅ ବର୍ଷର କୁନି ଝିଅ ପାଖରେ ପାଠ ପଢିବା ପାଇଁ ନା ସାଧନ ଅଛି ନା ସୁଯୋଗ ସୁବିଧା । ତେଣୁ ପାଠପଢ଼ା ଅପେକ୍ଷା ଖେଳକୁଦରେ ସେ ଅଧିକ ସମୟ ଦେବା ସ୍ୱାଭାବିକ କଥା । କିନ୍ତୁ ବାଙ୍ଗରୁ ପାଙ୍ଗି ଝିଅର ଏପରି ପାଠ ନପଢିବାକୁ ସହ୍ୟ କରିପାରିଲା ନାହିଁ । ଏକ ଶକ୍ତ ଚାପୁଡା ମାରିବାରୁ କୁନି ଝିଅ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିବା ସୁନାବେଡା ଏସଡିପିଓ ନିରଞ୍ଜନ ବେହେରା ଜଣାଇଛନ୍ତି ।
ଝିଅର ମୃତ୍ୟୁରେ ହତବାକ ହୋଇପଡିଥିବା ବାଙ୍ଗରୁ ଝିଅର ମୃତଦେହକୁ ଏକ ଅଖାରେ ଭର୍ତି କରି ସୁଦୂର ଦେଓମାଳି ପର୍ବତ ନିକଟରେ କୋଟିଆ ଯାଉଥିବା ରାସ୍ତାରେ ଭୈରବୀ ମନ୍ଦିର ଉପର ପାହାଡରେ ଗାତ ଖୋଳି ପୋତି ଦେଇଥିଲା । ତାପରେ ବାଙ୍ଗରୁ ଥାନାକୁ ଯାଇ ଝିଅ ନିଖୋଜ ଥିବା କହି ରିପୋର୍ଟ ଦାଖଲ କରିଥିଲା । କିନ୍ତୁ ବାଙ୍ଗରୁର ହାବଭାବ ସନ୍ଦେହ କରି ପୋଲିସ ତାକୁ ହିଁ ଅଟକ ରଖି ପଚରାଉଚରା କରିଥିଲା । ଏହାପରେ ସତ ସ୍ବୀକାର କରିଥିଲା ବାଙ୍ଗରୁ ।
ତାର କହିବା ମୁତାବକ ପଟ୍ଟାଙ୍ଗି ପୋଲିସ ଏବଂ କୋରାପୁଟ ଫରେନସିକ ଦଳ ଝିଅକୁ ପୋତା ହୋଇଥିବା ସ୍ଥାନରୁ ମୃତଦେହକୁ ମାଟିତଳୁ ଉଦ୍ଧାର କରିଥିଲେ । ଗ୍ରାମବାସୀ ଏହା ପଛରେ ଗୁଣି ଗାରେଡି କାମ କରୁଥିବା ସନ୍ଦେହ କରୁଥିବା ବେଳେ ମୃତ ଶରୀରର ପୋଷ୍ଟମର୍ଟମ ପରେ ସମସ୍ତ ସନ୍ଦେହ ଦୂର ହୋଇଯିବ ବୋଲି ଏସଡିପିଓ ବେହେରା ଜଣାଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ