କୋରାପୁଟ: ଜିଓ ମୋବାଇଲ ଟାୱାର(jio mobile tower) ସ୍ଥାପନ କରିବା ଦାବିରେ ୧୨ ଘଣ୍ଟିଆ ମାଛକୁଣ୍ଡ ବନ୍ଦ(machhakunda bandh) ଡାକରା ଦେଇଛନ୍ତି ଅଞ୍ଚଳବାସୀ । କୋରାପୁଟର ଚିକେନପୁଟ, ବାଦିଗଡ଼ ଓ ଅନକାଡେଲ୍ଲୀ ଗ୍ରାମ ପଞ୍ଚାୟତରେ ଜିଓ ମୋବାଇଲ ସେବା ନଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । BSNL ମୋବାଇଲ ସେବା ରହିଥିଲେ ବି ବହୁ ଦିନ ଧରି ଅଚଳ ରହୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।
ଏହା ଫଳରେ ଅନଲାଇନରେ ପିଲାମାନଙ୍କ ପାଠପଡାରେ ମଧ୍ୟ ବାଧା ସୃଷ୍ଟି ହେଉଛି । ତା ସହ ଲୋକେ କୌଣସି ଜରୁରିକାଳୀନ ସୂଚନା କିମ୍ବା ବ୍ୟାଙ୍କ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାର ପ୍ରତିବାଦ କରି ଆଜି(ସୋମବାର) କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଅଞ୍ଚଳବାସୀ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି । ମାଛକୁଣ୍ଡ ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ କରିବା ସହ ବ୍ୟାଙ୍କ ସେବା, ସ୍କୁଲଗୁଡିକ ମଧ୍ୟ ବନ୍ଦ କରାଯାଇଛି ।
ଏହି ବନ୍ଦ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ପାଳନ କରାଯିବ । ଏପଟେ ବନ୍ଦ ଡାକରା ଯୋଗୁଁ ବ୍ୟାଙ୍କ ସେବାରେ ମଧ୍ୟ ବାଧା ସୃଷ୍ଟି ହୋଇଛି । ଏହି ବନ୍ଦ ଡାକରାକୁ ବାଦିଗଡ଼, ଚିକେନପୁଟ ପଞ୍ଚାୟତବାସୀଙ୍କ ସମେତ ମାଛକୁଣ୍ଡ ବ୍ୟବସାୟୀ ସଂଘ ମଧ୍ୟ ସମର୍ଥନ କରିଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ