କୋରାପୁଟ: ଦାମନଯୋଡି ନାଲକୋ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା ଦିଆଯାଇଛି । ନାଲକୋ ମୁଖ୍ୟ ଫାଟକ ନିକଟରେ 12 ବିସ୍ଥାପିତ ପରିବାର ଏହି ଧାରଣା ଦେଇଛନ୍ତି ।
ଆନ୍ଦୋଳନରତ ପରିବାରର ସଦସ୍ୟ ରୋମିଳ କୁଳଦୀପଙ୍କ କହିବାନୁଯାୟୀ 2004ରେ ଆଞ୍ଚଳିକ ରାଜସ୍ବ କମିଶନର(ଆରଡିସି)ଙ୍କ ଅଧ୍ୟକ୍ଷତାରେ ଆରପିଡିଏସିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଆବେଦନ କରିଥିବା ସମସ୍ତ 19 ଜଣଙ୍କୁ ନିଯୁକ୍ତି ଦେବା ପାଇଁ ନାଲକୋ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ 2019 ସୁଦ୍ଧା କେବଳ 7 ଜଣଙ୍କୁ ନିଯୁକ୍ତି ଦିଆଯାଇଛି ।
ତେବେ ନିଯୁକ୍ତିରୁ ବଞ୍ଚିତ ଅନ୍ୟ 12ଟି ପରିବାର ଗତ 5 ବର୍ଷ ଧରି ନାଲକୋ ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ପରିବାରବର୍ଗ ।
ଫଳରେ ବାଧ୍ୟ ହୋଇ ଆନ୍ଦୋଳନର ନିଷ୍ପତ୍ତି ନେଇଥିଲେ ଏହି ପରିବାର । ଭୀଷଣ ବର୍ଷାରେ ସମସ୍ତ ପରିବାର ନାଲକୋ କମ୍ପାନୀର ମୁଖ୍ୟ ଫାଟକ ନିକଟରେ ନିଯୁକ୍ତି ଦାବି କରି ଧାରଣା ଦେଇଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ