ଖୋର୍ଦ୍ଧା : ଜାତୀୟ ରାଜପଥ କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଖୋର୍ଦ୍ଧା-ବଲାଙ୍ଗୀର 57 ନଂ ଜାତୀୟ ରାଜପଥର ପୁବୁସାହୁ ଜାଗୁଳିପାଟଣା ମଝି ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ସ୍ଥାନୀୟ ଲୋକେ ମୃତଦେହକୁ ଦେଖି ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଯୁବକ ଜଣକ ପୁବୁସାହି ଗ୍ରାମର ସୁଶାନ୍ତ କୁମାର ପଟ୍ଟନାୟକ ଓରଫ ଜୁବୁଲି । ପାରିପାର୍ଶ୍ଵିକ ଅବସ୍ଥାକୁ ଦେଖିଲେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
ସୂଚନା ଅନୁସାରେ, ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥର ପୁବୁସାହୁ ଜାଗୁଳିପାଟଣା ମଝିରେ ରାସ୍ତା କଡ଼ରେ ଏକ ମୃତଦେହ ଦେଖିଥିଲେ ସ୍ଥାନୀୟ ଲୋକେ । ଏହାପରେ ସ୍ଥାନୀୟ ଲୋକ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଚିହ୍ନଟ କରିଥିଲା । ମୃତ ଯୁବକ ଜଣକ ହେଲେ ପୁବୁସାହି ଗ୍ରାମର ସୁଶାନ୍ତ କୁମାର ପଟ୍ଟନାୟକ ଓରଫ ଜୁବୁଲି । ପାରିପାର୍ଶ୍ଵକ ଅବସ୍ଥାକୁ ଦେଖିଲେ ହତ୍ୟା କରାଯାଇଥିବା ସନ୍ଦେହ କରିଛି ପୋଲିସ ।
ଏହା ମଧ୍ୟ ପଢନ୍ତୁ: ଖୋର୍ଦ୍ଧାରୁ ୨ଟି ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି
ଜୁବୁଲିଙ୍କ ମୁଁହରେ ବିଭିନ୍ନ କ୍ଷତ ଚିହ୍ନ ରହିଛି । ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ସେ ନେଇ ସସପେନ୍ସ ଜାରି ରହିଛି । ଆଦର୍ଶ ଥାନା ପୋଲିସ ଘଟଣାକୁ ଗୁରୁତ୍ବର ସହ ନେଇଥିବା ବେଳେ ଘଟଣାସ୍ଥଳରେ ଖୋର୍ଦ୍ଧା ଏସ୍ପି ସିଦ୍ଧାର୍ଥ କଟାରିଆ, ଏସଡିପିଓ ଦିଲ୍ଲୀପ ଦାସ ପହଞ୍ଚି ବିଭିନ୍ନ ଦିଗକୁ ନେଇ ଅନୁଧ୍ୟାନ କରିଛନ୍ତି । ସାଇଣ୍ଟିଫିକ ଟିମ୍ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ଜୁବୁଲିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଅନ୍ୟପଟେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଘଟଣା ଉପରୁ ପରଦା ହଟିବ ବୋଲି କହିଛନ୍ତି ଖୋର୍ଦ୍ଧା ଆଦର୍ଶ ଥାନା ଅଧିକାରୀ ସଞ୍ଜୟ ନାୟକ ।
ପ୍ରକାଶଥାଉକି, ଗତ ଜୁଲାଇ ମାସରେ ଖୋର୍ଦ୍ଧାରୁ 2ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଗୋଟିଏ ମୃତଦେହ ୧୬ ନମ୍ବର ଜାତୀୟ ରାଜପଥ ପିତାପଲ୍ଲୀ ଛକ ନିକଟ ପରିତ୍ୟକ୍ତ ଘର ପାଖରୁ ହୋଇଥିବା ବେଳେ ଅନ୍ୟ ଜଣେ ବୃଦ୍ଧଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ସ୍ଥାନୀୟ ଲୋକ ଆଦର୍ଶ ଥାନା ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ଖୋର୍ଦ୍ଧା ଏସଡିପିଓ, ଆଦର୍ଶ ଥାନା ଅଧିକାରୀ ଏବଂ ଶିଳ୍ପାଞ୍ଚଳ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଚଳାଇଥିଲା ।
ଇଟିଭି ଭାରତ, ଖୋର୍ଦ୍ଧା