ଭୁବନେଶ୍ବର: ସହିଦନଗର ଥାନା ପରିସରରେ ଟଳି ପଡିଲେ ଯୁବକ । ଫୋନରେ କଥା ହେଉଥିବା ହଠାତ୍ ଉଡିଗଲା ପ୍ରାଣବାୟୁ । ସିସିଟିଭିରେ କଏଦ ହେଲା ସେହି ସମୟର ଦୃଶ୍ୟ । ମୃତକ ଜଣଙ୍କ ହେଉଛନ୍ତି ଗାଡ଼କଣାର ବିଚିତ୍ର ପଲେଇ । ତାଙ୍କୁ ପ୍ରଥମେ ଅପହରଣ କରାଯାଇଥିବା ବେଳେ ସେ କାରରକୁ ଡେଇଁ ପଡି ବର୍ତ୍ତି ଯାଇଥିଲେ । କିନ୍ତୁ ଥାନାରେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତିରେ ବିଚିତ୍ରଙ୍କୁ ଅପହରଣ କରାଯାଇଥିଲା । ଏକ କାରରେ ଜଣେ ମହିଳା ଓ ପୁରୁଷ ତାଙ୍କୁ ଅପହରଣ କରି ନେଇଯାଉଥିଲେ । ଧାର ଟଙ୍କା ଫେରସ୍ତ ନକରିବାରୁ ତାଙ୍କୁ ଅପହରଣ କରାଯାଇଥିବା ବେଳେ ସେ ବାଣୀବିହାର ନିକଟରେ କାରରୁ ଡେଇଁ ପଡିଥିଲେ । ଏହାପରେ ଅପରିଚିତ ବ୍ୟକ୍ତିଙ୍କ ବାଇକ ଯୋଗେ ଥାନା ପରିସରରେ ପହଞ୍ଚିଥିଲେ ଯୁବକ ଜଣଙ୍କ । ତେବେ ସେଠାରେ ସେ ଫୋନରେ କଥା ହେଉଥିବା ବେଳେ ହଠାତ୍ ତଳେ ପଡିଯାଇଥିଲେ । ପରେ ପୋଲିସ ପିସିଆର ଯୋଗେ ଗୁରୁତର ଅବସ୍ଥାରେ ବିଚିତ୍ରଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ-President Murmu Odisha Visit: ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତେବେ ଅପହରଣ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସମସ୍ତ ସିସିଟିଭି ଯାଞ୍ଚ ବି କରାଯାଉଛି । ଗତକାଲି ରାତି ୯.୩୦ ବେଳେ ଏପରି ଅଘଟଣ ଘଟିଥିଲା । ସନ୍ଦିଗ୍ଧ ଅପହରଣକାରୀ ଶାନ୍ତିପଲ୍ଲୀ ବସ୍ତିର ହୋଇଥିବା ସୂଚନା ମିଳିଛି । ତେବେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ଡିସିପି । ଅନ୍ୟପଟେ ଘଟଣାରେ ଜଣେ ମହିଳାଙ୍କ ସମ୍ପୃକ୍ତି ଥିବା ଜଣାପଡିଛି ।
ତେବେ ସିସିଟିଭି ଫୁଟଜେର ଦେଖିବାକୁ ମିଳୁଛି ଯେ,''ତିନି ଜଣ ଯୁବକ ବାଇକରେ ଆସି ସହିଦନଗର ଥାନା ପରିସରରେ ପହଞ୍ଚୁଛନ୍ତି । ମୃତକ ଯୁବକ ଜଣଙ୍କ ଗାଡି ମଝିରେ ବସିଥିବା ଦେଖିବାକୁ ମିଳିଛି । ଗାଡିରୁ ଓହ୍ଲାଇବା ପରେ ଯୁବକ ଜଣଙ୍କ କାହାକୁ ଫୋନ କରୁଛନ୍ତି । ଏମିତି କିଛି ସମୟ ଚାଲିବା ପରେ ଯୁବକ ଜଣଙ୍କ ଚାଲୁଛନ୍ତି । ଏହାପରେ ଫୋନରେ କଥା ହେଉଥିବା ବେଳେ ହଠାତ ତଳେ ପଡି ଯାଉଛନ୍ତି । ପରମୁହୁର୍ତ୍ତରେ ତାଙ୍କୁ ପିସିଆର ଭ୍ୟାନ ଯୋଗେ ହସ୍ପିଟାଲ ନିଆଯାଉଛି । ''ତେବେ ଯୁବକଙ୍କ ମୃତ୍ୟୁ କେଉଁ କାରଣରୁ ହେଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ । ଟଙ୍କା କରଜକୁ ନେଇ ଯୁବକଙ୍କୁ ଅପହରଣ କରାଯାଇଥିଲା । ନାଲକୋ ଛକରେ ବିଚିତ୍ରଙ୍କର ଏକ ଗାଙ୍ଗୁରାମ ଦୋକାନ ରହିଛି ।
ଇଟିଭି ଭାରତ, ଭୁବନେଶ୍ବର