ଖୋର୍ଦ୍ଧା: ଦିନେ କି ଦୁଇ ଦିନ ନୁହେଁ ପୁରା ୭ ମାସ ଧରି ସ୍ୱାମୀ ଘର ପିଣ୍ଡାରେ ନ୍ୟାୟ ପାଇଁ ବସିଛି ସ୍ତ୍ରୀ । ୭ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ଭୁବନେଶ୍ବରରେ ଏକାଠି ଭଡା ଘରେ ମଧ୍ୟ ରହୁଥିଲେ । କିନ୍ତୁ ହଠାତ ସୁଖରେ ସଂସାରରେ ଆସିଲା ଝଡ । ସ୍ତ୍ରୀ ପିଙ୍କିଙ୍କୁ ଛାଡି ଚାଲିଗଲେ ସ୍ବାମୀ ଅଶୋକ । ଆଉ ଶେଷରେ ସ୍ବାମୀ ଖୋଜି ଖୋଜି ନ ପାଇବାରୁ ନ୍ୟାୟ ପାଇଁ ଦୀର୍ଘ ୭ ମାସ ଧରି ସ୍ୱାମୀ ଘର ସମ୍ମୁଖରେ ଧାରଣାରେ ବସିଛନ୍ତି ମହିଳା । ନିଜର ହକ୍ ପାଇଁ ସ୍ବାମୀ ଘରର ଅଣ ଓସାରିଆ ପିଣ୍ଡାରେ ନିଜେ ରୋଷେଇ ଖାଇବା ସହ ଓ ସେଇଠି ଶୋଉଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ବାଘମାରୀ ଗ୍ରାମରେ ।
ବାଘମାରୀ ଗ୍ରାମର ଅଶୋକ ଦାଶ ନାମକ ଜଣେ ଯୁବକ ଅନୁଗୋଳର ପିଙ୍କି ବେହେରା ନାମ୍ନୀ ଜଣେ ଯୁବତୀଙ୍କୁ ୭ବର୍ଷ ତଳେ ବାହା ହୋଇ ଭୁବନେଶ୍ଵରରେ ରହୁଥିଲେ । ଗତ ବର୍ଷ ଜୁନ ୧୩ ତାରିଖରୁ ଅଶୋକ ପିଙ୍କିକୁ ଛାଡି କୁଆଡେ ପଳେଇଲା । ସ୍ବାମୀକୁ ନ ପାଇ ଖାରବେଳ ନଗର ଥାନାରେ ଏତଲା ଦେଇଥିଲା ପିଙ୍କି । କିନ୍ତୁ ନ୍ୟାୟ ପାଇଲେ ନାହିଁ । ଶେଷରେ ଖୋଜି ଖୋଜି ଆସି ଅଶୋକର ଗ୍ରାମ ବାଘମାରୀରେ ପହଞ୍ଚିଥିଲେ । ଏଥିସହ ଗତବର୍ଷ ନଭେମ୍ବର ମାସ 26 ତାରିଖରୁ ସ୍ୱାମୀ ଘର ଆଗରେ ଧାରଣାରେ ବସିଛନ୍ତି । ସେହିପରି ପିଙ୍କି ଜାତିକୁ ନେଇ ଶାଶୂଘର ଲୋକ ଗ୍ରହଣ କରୁନଥିବା ଅଭିଯୋଗ କରୁଛନ୍ତି ପିଙ୍କି । ସହିବାର ସବୁ ସୀମା ଟପି ସାରିଥିବା କହିଛନ୍ତି । ଯାହାକୁ ଭରସା କରି ବିବାହ କରିଥିଲି ସେ ଆଜି ମତେ ଦାଣ୍ଡରେ ବସାଇଛି, ଆଉ ମୋର କେହି ନାହାନ୍ତି,ମୁଁ କୁଆଡେ ଯିବି ବୋଲି ପ୍ରଶ୍ନ କରିଛନ୍ତି ପିଙ୍କି ।
ସେହିପରି ବସିବାର ତିନିମାସ ପର୍ଯ୍ୟନ୍ତ ବାଘମାରି ଥାନା ପକ୍ଷରୁ ତାଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ପାଇଁ ଦୁଇଜଣ ମହିଳା କନେଷ୍ଟବଳଙ୍କୁ ନିୟୋଜିତ କରାଯାଇଥିବା ବେଳେ ଏବେ ତାହାକୁ କାଢି ନିଆଯାଇଛି । ପିଙ୍କି ନିଜକୁ ବର୍ତ୍ତମାନ ଅସୁରକ୍ଷିତ ମନେ କରୁଥିବା ବେଳେ ତାଙ୍କୁ ନ୍ୟାୟ ଦେବାରେ ପୋଲିସ ନା ପ୍ରଶାସନ କେହିବି ସାହାଯ୍ୟ କରୁନଥିବା କାନ୍ଦି କାନ୍ଦି କହିଛନ୍ତି । ସେପଟେ ପିଙ୍କି ସ୍ୱାମୀ ଘର ପିଣ୍ଡାରେ ଧାରଣାରେ ବସିବା ଦିନ ଠୁ ଅଶୋକଙ୍କ ପରିବାର ଲୋକ ଘରେ ତାଲା ପକାଇ ଚାଲି ଯାଇଛନ୍ତି । ଅସହ୍ୟ ଗରମ ସାଙ୍ଗକୁ କାଳବୈଶାଖୀ ଝଡରେ ନିଜ ଭାଗ୍ୟକୁ ଆଦରି ସ୍ୱାମୀ ଠାରୁ ନ୍ୟାୟ ପାଇବା ଆଶାରେ ବସିଛି ପିଙ୍କି ।
ଏନେଇ ଘଟଣା ସମ୍ପର୍କରେ ବାଘମାରି ସରପଞ୍ଚ ମାନସ ବିଶ୍ୱାଳ କହିଛନ୍ତି ଯେ, ଯେଉଁଭଳି ଅବସ୍ଥାରେ ସ୍ୱାମୀ ଘର ପିଣ୍ଡାରେ ବସିଛି ସ୍ତ୍ରୀ ତାହା ଦୁଃଖଦୟକ ଏବଂ ଘଟଣାର ସମାଧାନ ପାଇଁ ବ୍ୟକ୍ତିଗତ ଭାବେ ଚେଷ୍ଟା କରି ବିଫଳ ହୋଇଥିବା ବେଳେ କାହିଁକି ପୁଅ ଏବଂ ତାଙ୍କ ପରିବାର ସମ୍ନାକୁ ଆସୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ସେପଟେ ଅଶୋକ କିମ୍ବା ତାଙ୍କ ପରିବାର ସଦସ୍ୟଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
ଇଟିଭି ଭାରତ ,ଖୋର୍ଦ୍ଧା