ଭୁବନେଶ୍ବର: ଜାରି ରହିଛି ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ଆଜି ବଜେଟ ଅଧିବେଶନରେ ପ୍ରଶ୍ନକାଳ ସ୍ବାଭାବିକ ରହିଥିଲା । ଗୃହରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା । ଏହାପରେ ମହିଳା ଓ ଶିଶୁ ବିକାଶ ବିଭାଗର ବାର୍ଷିକ ବଜେଟ ତଥା ଖର୍ଚ୍ଚ ଦାବି ଉପସ୍ଥାପନ ହୋଇଥିଲା । ଖର୍ଚ୍ଚ ଦାବି ଉପସ୍ଥାପନ କରିଥିଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ । ଏହାପରେ ବିଭାଗର ବାର୍ଷିକ ବଜେଟ୍କୁ ନେଇ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ସବିଶେଷ ତଥ୍ୟ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଓ ସଚିବ ଶୁଭା ଶର୍ମା ।
ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଓ ସଚିବଙ୍କ ସୂଚନା ଅନୁସାରେ, ୨୦୨୩-୨୪ ଆର୍ଥିକ ବର୍ଷ ବଜେଟରେ ମହିଳା ଓ ଶିଶୁ ବିକାଶ ବିଭାଗ ଲାଗି ହୋଇଛି ୩ ହଜାର ୬୭୦ କୋଟି ଟଙ୍କାର ବ୍ୟୟବରାଦ । ଏନେଇ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ କହିଛନ୍ତି, "କୋଭିଡ୍ ମହାମାରୀ ପରେ ଆରମ୍ଭ ହୋଇଥିବା ଆଶୀର୍ବାଦ ଯୋଜନା ଅଧୀନରେ ପିତାମାତାଙ୍କୁ ହରାଇଥିବା ୫୧ ହଜାର ପିଲାଙ୍କ ଜୀବନରେ ସକାରାତ୍ମକ ବିକାଶ ହୋଇପାରିଛି । ଏହି ଯୋଜନା ଲାଗି ୨୦୨୩ -୨୪ରେ ୫୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ଉଦ୍ଦେଶ୍ୟରେ ଚଳିତ ବଜେଟରେ ମମତା ଯୋଜନା ପାଇଁ ୨୧୯ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି ।" ସେହିଭଳି ପୁଷ୍ଟିହୀନତା ଦୂର କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ ୨୦୨୩ରୁ ୨୦୨୭-୨୮ ବର୍ଷ ମଧ୍ୟରେ ୩ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ସେହିଭଳି ବାର୍ଷିକ ବଜେଟ ନେଇ ସୂଚନା ଦେଇ ବିଭାଗୀୟ ସଚିବ ଶୁଭା ଶର୍ମା କହିଛନ୍ତି, "ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ଯୋଜନାରେ ଅଙ୍ଗନୱାଡ଼ି ପିଲାଙ୍କୁ ୟୁନିଫର୍ମ ସାଙ୍ଗକୁ ଜୋତା, ମୋଜା, ସ୍ବେଟର ଓ କ୍ୟାପ ଦେଇ ଅଙ୍ଗନୱାଡି କେନ୍ଦ୍ରରେ ଯୋଗଦେବାକୁ ଉତ୍ସାହିତ କରିବା ପାଇଁ ୯୧.୧୩ କୋଟି ଟଙ୍କା ବଜେଟ୍ ରହିଛି । ସେହିଭଳି ଆଦ୍ଵିକା ଯୋଜନାରେ ୫ କୋଟି, ସ୍ଵଧାର ଗୃହ ଓ ଉଜ୍ବଳ ଘର ଯୋଜନା ପାଇଁ ୩୭.୭୭ କୋଟି, ଏସଏନପି ଯୋଜନାରେ ୧୦୪୩ କୋଟି, ପୋଷଣ 2.0 ଯୋଜନାରେ ୧୭୫ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଏହାସହ ମିଶନ ବାତ୍ସଲ୍ୟ ଯୋଜନା ପାଇଁ ୮୫ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।"
ଇଟିଭି ଭାରତ, ଭୁବନେଶ୍ବର