ଖୋର୍ଦ୍ଧା: ନିଜର ହକ୍ ପାଇଁ ସ୍ବାମୀ ଘର ସମ୍ମୁଖରେ ବସିଛି ପିଙ୍କି । ମୋତେ ମୋ ସ୍ବାମୀ ନ୍ୟାୟ ଦିଅନ୍ତୁ, ନଚେତ୍ ବିଷ ଦିଅ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅନ୍ତର୍ଗତ ବାଘମାରି ଗ୍ରାମରେ । ୭ବର୍ଷ ତଳେ ଭଲ ପାଇ ବାହା ହୋଇଥିବା ସ୍ବାମୀ ଆଜି ଜାତିଆଣ ଦେଖାଇ ମହିଳାଙ୍କୁ ଗ୍ରହଣ କରୁନଥିବା ଥାନାରେ ଅଭିଯୋଗ ହୋଇଛି ।
ମିଳିଥିବା ସୂଚନା ଅନୁସାରେ ବାଘମାରି ଥାନା ଅନ୍ତର୍ଗତ ବାଘମାରି ଗ୍ରାମର ଅଶୋକ ଦାସ ନାମକ ଜଣେ ବ୍ୟକ୍ତି ଅନୁଗୋଳର ପିଙ୍କି ବେହେରା ନାମ୍ନୀ ଜଣେ ମହିଳାଙ୍କୁ ୭ବର୍ଷ ତଳେ ବାହା ହୋଇ ଭୁବନେଶ୍ଵରରେ ରହୁଥିଲେ। ଗତ ଜୁନ ୧୩ ତାରିଖରୁ ସେମାନଙ୍କ ସଂସାରରେ ଆରମ୍ଭ ହେଲା ଝଡ଼ । ଅଶୋକ ପିଙ୍କିକୁ ଛାଡି କୁଆଡେ ପଳେଇଥିଲେ । ସ୍ବାମୀକୁ ନ ପାଇ ଖାରବେଳ ନଗର ଥାନାରେ ଏତଲା ଦେଇଥିଲେ ପିଙ୍କି । କିନ୍ତୁ ନ୍ୟାୟ ମିଳିଲା ନାହିଁ । ଏହାପରେ ମହିଳା ଜଣକ ଖୋଜି ଖୋଜି ଆସି ଅଶୋକର ଗ୍ରାମ ବାଘମାରିରେ ପହଞ୍ଚିଛନ୍ତି ।
ଏହା ବି ପଢନ୍ତୁ- ହକ ପାଇଁ ଧାରଣାରେ ଅଙ୍ଗନବାଡି କର୍ମୀ, ମୁଖ୍ୟମନ୍ତ୍ରୀଙ୍କୁ କୁନି ପୁଅର ନିବେଦନ
ଏଠାରେ କିନ୍ତୁ ସ୍ବାମୀ ଘର ପରିବାର କବାଟ ବନ୍ଦ କରିଦେଲେ । ଏଠାରୁ ଫେରି ବାଘମାରି ଥାନାରେ ଯୁବତୀ ଜଣକ ଗୁହାରି କରିଛନ୍ତି । ଥାନାରେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଛି । ଏବେ କିଛି ସମାଜସେବୀଙ୍କ ସହାୟତାରେ ସ୍ବାମୀର ଘର ଆଗରେ ଯୁବତୀ ଜଣକ ବସିଛନ୍ତି । ୭ବର୍ଷ ତଳେ ଭଲ ପାଇ ବାହା ହୋଇ ଥିବା ସ୍ବାମୀ ଆଜି ଜାତିଆଣ ଦେଖାଇ ସ୍ତ୍ରୀକୁ ଗ୍ରହଣ କରୁନାହିଁ । ଅନ୍ୟ ପକ୍ଷରେ ନ୍ୟାୟ ପାଇଁ ପିଙ୍କି ବେହେରା ଲଢେଇ ଜାରି ରଖିଛନ୍ତି ।
ଏ ନେଇ ପିଙ୍କି କହିଛନ୍ତି, "ମୋ ସ୍ବାମୀଙ୍କ ସହିତ ମୋର କୌଣସି ମନୋମାଳିନ୍ୟ ନଥିଲା । ଚଳିତ ବର୍ଷ ଜୁନ ମାସରେ ଏମାନେ ମୋ ସ୍ବାମୀଙ୍କୁ ଡାକିଥିଲେ । ଏହାପରେ ତାଙ୍କୁ ମୋ ପାଖକୁ ପଠାଇନଥିଲେ । ସେ ଏଠାରେ ଥିବା ଜାଣିବାକୁ ପାଇବା ପରେ ମୁଁ ଏଠାକୁ ଆସିଥିଲି । ହେଲେ ମୋ ଶାଶୁ ମୋତେ ଅଜାତି କହି ଘରୁ ତଡ଼ି ଦେଇଥିଲେ । ମୋତେ ମୋ ସ୍ବାମୀ ଗ୍ରହଣ କଲେ ଶାଶୁ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି । ମୋ ସ୍ବାମୀଙ୍କୁ ତାଙ୍କ ବଡ଼ ଭାଇ ତାଙ୍କ ଘରେ ରଖିଛନ୍ତି ।"
ଇଟିଭି ଭାରତ, ଖୋର୍ଦ୍ଧା