ଖୋର୍ଦ୍ଧା: ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଆଉ ଏହି ସମୟରେ ଜାତୀୟ କଂଗ୍ରେସକୁ ପଡିଛି ଶନି ଦଶା । ଜଣକ ପରେ ଜଣେ ଅଭିଜ୍ଞ ରାଜନେତା ଦଳ ଛାଡୁଛନ୍ତି । ସ୍ଥିତି ଏପରି ହେଉଛି ରାଜ୍ୟରେ କଂଗ୍ରେସ ଦଳ ଯେମିତି ନିଜ ସ୍ଥିତି ବଞ୍ଚାଇବା ପାଇଁ ସଂଘର୍ଷ କରୁଛି । ନିକଟରେ ବେଗୁନିଆ ବୋଲଗଡ କଂଗ୍ରେସ ନେତା ପ୍ରଦୀପ ସାହୁ ବିଜୁ ଜନତା ଦଳରେ ସାମିଲ ହେବାପରେ କଂଗ୍ରେସର ଗଡ ବୋଲାଉଥିବା ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳୀ ଏବେ ନେତା ଶୂନ୍ୟ ହୋଇଥିବା ଚର୍ଚ୍ଚା ହେଉଛି ।
କିନ୍ତୁ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣି ସାମ୍ନାକୁ ଆସିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ପଟ୍ଟନାୟକଙ୍କ ପୁଅ ପୃଥ୍ବୀ ବଲ୍ଲଭ ପଟ୍ଟନାୟକ । ପୃଥ୍ବୀ ପ୍ରଦୀପଙ୍କୁ ତେର୍ଛା ବାଣ ମାରି କହିଛନ୍ତି ଏବେ କଂଗ୍ରେସର ଖରାପ ସମୟ ଚାଲିଛି । ଏଥିପାଇଁ ଦଳକୁ ବହୁ ଲୋକ ତ୍ୟାଗ କରୁଛନ୍ତି । ଏହି ସମୟରେ ବିଚଳିତ ନହୋଇ ଲୋକଙ୍କ ସେବା କରିବାକୁ କର୍ମୀଙ୍କୁ ନିବେଦନ କରିଛନ୍ତି ପୃଥ୍ବୀ ।
ସେପଟେ ଦୀର୍ଘଦିନ ଧରି ଶାସନରୁ ଦୂରେଇ ରହିଥିବା କଂଗ୍ରେସ ଦଳରୁ ତୃଣମୂଳ ସ୍ତରରେ କର୍ମୀ ମୁଁହ ଫେରାଉଥିବା ବେଳେ ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳୀ ଜାତୀୟ କଂଗ୍ରେସରୁ ଦୁଇ ଦୁଇ ଥର ବିଧାୟକ ହୋଇଥିବା କୈଳାସ ମହାପାତ୍ର କହିଛନ୍ତି ବେଗୁନିଆ ବୋଲଗଡବାସୀଙ୍କ ଡିଏନଏରେ କଂଗ୍ରେସ ଏବେବି ଜୀବିତ ଅଛି । ପୁଣି କଂଗ୍ରେସ ଶାସନକୁ ଫେରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ସେପଟେ ପ୍ରଦୀପ କଂଗ୍ରେସ ଛାଡିବା ପରେ ବିଜେପିର ଭୋଟହାର ବଢିବ ବୋଲି କହିଛନ୍ତି ବେଗୁନିଆ ବିଜେପି ପ୍ରାର୍ଥୀ ଋଷଭ ନନ୍ଦ । ତେବେ ଏପରି ସ୍ଥଳେ ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ କାହା ନେତୃତ୍ବରେ ଆଗାମୀ ପଞ୍ଚାୟତ ନିର୍ବାଚନ ଲଢିବ ତାହା ଦେଖିବାକୁ ବାକି ରହିଲା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ